ପଞ୍ଜାବରେ ଚାଷୀ ଆନ୍ଦୋଳନ, ବିଭିନ୍ନ ସ୍ଥାନରେ ଚକାଜାମ୍

ପଞ୍ଜାବ : ପୁଣି ଚାଷୀଙ୍କ ଯୁଦ୍ଧଂ ଦେହୀ ଡାକରା। ଭାରତୀୟ କିଷାନ ୟୁନିଅନ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ପଞ୍ଜାବର ବିଭିନ୍ନ ସ୍ଥାନରେ କରାଯାଇଛି ଆନ୍ଦୋଳନ। ପଞ୍ଜାବର ସାଙ୍ଗରୁର, ମୋଗା, ଫଗୱାରା ଓ ବାଟାଲାରେ ହୋଇଛି ଚକାଜାମ ଆନ୍ଦୋଳନ। ଶହ ଶହ ଚାଷୀ ରାଜପଥ ଅବରୋଧ କରିବା ସହ ନାରାବାଜି କରିଛନ୍ତି। ଚାଷୀଙ୍କ ଦାବି ନ ପୂରଣ ହେଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିଅନ(କ୍ରାନ୍ତିକାରୀ) ଅଧ୍ଯକ୍ଷ ସୁରଜିତ ସିଂ ଫୁଲ୍।   ଧାନ କିଣାରେ ବିଭ୍ରାଟ, ଧାନ ଉଠାଣରେ ଅବ୍ୟବସ୍ଥା, ଆବଶ୍ୟକ ମୁତାବକ ଡିଏପି ସାର ଯୋଗାଣ ହେଉନଥିବା ଓ ନଡ଼ା ପୋଡ଼ିକୁ ନେଇ ଏହି ଆନ୍ଦୋଳନ କରାଯାଉଛି। ନଡ଼ା ପୋଡ଼ି ଅଭିଯୋଗରେ ଅନେକ ଚାଷୀଙ୍କ ବିରୋଧରେ ମାମଲା କରାଯାଇଛି। ଏହାକୁ ଚାଷୀମାନେ ବିରୋଧ କରୁଛନ୍ତି। କୃଷକଙ୍କ ସମସ୍ୟା ପାଇଁ ସେମାନେ ଉଭୟ କେନ୍ଦ୍ର ସରକାର ଓ ପଂଜାବ ସରକାରଙ୍କୁ ଦାୟୀ କରିଛନ୍ତି। ମିଲ୍ ମାଲିକଙ୍କ ଆନ୍ଦୋଳନ ପାଇଁ ମଣ୍ଡିରୁ ଧାନ ଉଠିପାରୁନି। ସେଥିପାଇଁ ସମସ୍ୟା ଆହୁରି ବଢ଼ିଛି।