ବଜାର ଅଭାବରୁ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ

ମୟୂରଭଞ୍ଜ: କରୋନା ଭୟାବହତା ଚାଷୀଙ୍କ ନିଦ ହଜାଇ ଦେଇଛି । ବଜାର ଅଭାବରୁ ନିଜର କଷ୍ଟ ଉପାର୍ଜିତ ଫସଲକୁ ବିକ୍ରି କରି ନପାରି ଚିନ୍ତାରେ ଚାଷୀ । ଫଳରେ ମୟୂରଭଞ୍ଜ ଜିଲ୍ଲାର ଚାଷୀମାନେ ଅଭିବୀ ବିକ୍ରିର ଶିକାର ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଲେମ୍ବୁ ବିକ୍ରି କରି ନପାରି ଚାଷୀ ହଇରାଣ ହେଉଥିବାବେଳେ ଗଛମୂଳେ ପଡି ସଢିଯାଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ । କରୋନା ଦେଇଛି ଦୁଃଖ । ଅଭାବୀ ବିକ୍ରିର ଶିକାର ଚାଷୀ । ବିକ୍ରି ହୋଇ ପାରୁନି ଫସଲ । ଗଛମୂଳେ ପଡି ସଢୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଲେମ୍ବୁ । ଏପରି ସ୍ଥିତି ଏବେ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଜିଲ୍ଲାର କୁଳିଅଣା ଲେମ୍ବୁର ସ୍ଵତନ୍ତ୍ର ପରିଚୟ ରହିଛି ।

ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା କୁଳିଅଣା ଏବଂ ଶାମାଖୁଣ୍ଟା ବ୍ଲକର କେତେକ ଅଂଚଳରେ ବହୁଳ ପରିମାଣରେ ଲେମ୍ବୁ ଉତ୍ପାଦିତ ହୋଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଏହି ଲେମ୍ବୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏବଂ ବାହାର ରାଜ୍ୟକୁ ବିକ୍ରିପାଇଁ ଯ।ଇଥାଏ । ମାତ୍ର ଚଳିତ ବର୍ଷ କରୋନାର ଭୟାବହତା ଯୋଗୁଁ ମାସ ମାସ ଧରି ଲକଡାଉନ ସଟଡାଉନ ଫଳରେ ଏହି ବ୍ୟବସାୟ ସମ୍ପୂର୍ଣ ବନ୍ଦ ହୋଇପଡିଛି । ବିକ୍ରି ପାଇଁ ବ୍ୟବସ୍ଥା ନଥିବାରୁ ହାତ ଟେକି ବସିଛନ୍ତି ଲେମ୍ବୁ ବ୍ୟବସାୟୀ ।

ମୟୂରଭଞ୍ଜ ଜିଲ୍ଲାର ମୃର୍ତ୍ତିକା ଫଳଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏଠାରେ ବିଭିନ୍ନ କିଷମର ଫଳ ଉତ୍ପାଦନ କରିଥାନ୍ତି ଚାଷୀମାନେ । କୁଳିଅଣା, ଭଗବାନପୁର, ଗେଣ୍ଡାପୋଖରୀ, ପାତିହିଞ୍ଜା, ଗୌଡରମା ଏବଂ ପାରୁଳିଅ । ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷୀମାନେ ପ୍ରାୟ ୪ଶହ ହେକ୍ଟରରୁ ଅଧିକ ଜମିରେ ଲେମ୍ବୁ ଉତ୍ପାଦନ କରିଥାନ୍ତି । ତେବେ ବର୍ଷକୁ ପ୍ରାୟ ୪୦ ରୁ ୪୮ ହଜାର କ୍ୱିଣ୍ଟାଲ ଉତ୍ପାଦିତ ଲେମ୍ବୁକୁ ସେମାନେ ବାହାର ରାଜ୍ୟକୁ ପଠାଇଥାନ୍ତି । ତେବେ କଟକଣା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କର।ଯିବ ବୋଲି କହିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଅଧିକାରୀ ।

ପରିସ୍ଥିତିକୁ ଦେଖି ମୁନାଫାଖୋର ବ୍ୟବସାୟୀମାନେ ସେଥିରୁ ଲାଭ ଉଠାଉଛନ୍ତି । ତେଣୁ ସରକାରୀ ସ୍ତରରେ ମାର୍କେଟିଂ ବ୍ୟବସ୍ଥା କିମ୍ବା ଫଳ ପ୍ରସେସିଂ ୟୁନିଟ ସ୍ଥାପନ କରାଯିବାକୁ ଯୋଜନା କରିବାକୁ ଚାଷୀମାନ ଦାବି କରିଛନ୍ତି ।

Leave a Reply