ପ୍ରସ୍ତାବକୁ କଲେ ପ୍ରତ୍ୟାଖାନ, ପୁଣି ଦେଲେ ଆନ୍ଦୋଳନର ଆହ୍ୱାନ

1 min read

ନୂଆଦିଲ୍ଲୀ: କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ନା । ୧୪ ଦିନର ଚାଷୀ ନିଆଁକୁ ଲିଭାଇବାକୁ ସରକାର ଢାଳିଥିଲେ ପ୍ରସ୍ତାବର ପାଣି । କିନ୍ତୁ ଏହି ଲିଖିତ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛନ୍ତି କୃଷକ । ପ୍ରସ୍ତାବ ନୁହେଁ, ଆଇନ ରଦ୍ଦ କରନ୍ତୁ ସରକାର । ଏପରି ତମାମ ଦାବି ରଖି ଆନ୍ଦୋଳନରେ ଅଡି ବସିଛନ୍ତି ଚାଷୀ । ମୋଦି ସରକାରଙ୍କ ଲିଖିତ ପ୍ରସ୍ତାବ ଜାରି ହେବା ପରେ ଚାଷୀ ସଙ୍ଗଠନର ନେତାଙ୍କ ଦ୍ୱାରା ଡକାଯାଇଥିଲା ଏକ ସାମ୍ବାଦିକ ସମ୍ମିଳନୀ । ସେପଟେ ସରକାର ଯଦି ଆଇନ ରଦ୍ଦ ନକରନ୍ତି, ତେବେ ୧୨ ଡିସେମ୍ବରରେ ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ବନ୍ଦ କରାଯିବ ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆହ୍ୱାନ ଦେଇଛନ୍ତି ଚାଷୀ ନେତା ।

ଚାଷୀ ନେତା ଦର୍ଶନ ପାଲଙ୍କ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି, କେନ୍ଦ୍ର ସରକାଙ୍କ ବିରୋଧରେ ଆନ୍ଦୋଳନ ଆଗକୁ ଆହୁରି ବ୍ୟାପକ ହେବ । ଦେଶର ସମସ୍ତ କୃଷକଙ୍କୁ ‘ଦିଲ୍ଲୀ ଚଲୋ’ଡାକରା ଦିଆଯିବ । ସମସ୍ତ ରାଜ୍ୟରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ । ଏହା ସହ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କୁ ଚାଷୀ ସଙ୍ଗଠନ ଘେରାଉ କରିବ ବୋଲି ଖୋଲା ଆହ୍ୱାନ ଦେଇଛନ୍ତି ଚାଷୀ ନେତା । ସେପଟେ ହଠାତ୍ ଚାଷୀଙ୍କ ଏପରି ଧମକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଆଜି କୃଷକ ଏବଂ ଚାଷୀଙ୍କ ମଧ୍ୟରେ ରହିଥିଲା ୬ଷ୍ଠ ବୈଠକ । ସେପଟେ ରାତିଅଧିଆ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଚାଷୀ ନେତା ଭେଟିବା ପରେ  ସ୍ଥଗିତ ରହିଥିଲା ବୈଠକ । ଏବଂ ଆଜି କେନ୍ଦ୍ର ସରକାର ଜାରି କରିଥିଲେ ୮ଟି ଲିଖିତ ପ୍ରସ୍ତାବ । ଚାଷୀ ଏହି ପ୍ରସ୍ତାବରେ ରାଜି ହେବା ନେଇ ଭାବି ବସିଥିଲେ ସରକାର । କିନ୍ତୁ ହଠାତ ଚାଷୀ ନେତାଙ୍କ ସାମ୍ବାଦିକ ସମ୍ମିଳନୀ ବଦଳାଇ ଦେଇଛି ମୋଡ । ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ, ତୀବ୍ର ପ୍ରତିବାଦ ଏବଂ ଧର୍ମଘଟର ଧମକ ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଥିବେବେଳେ, ଏନେଇ କେନ୍ଦ୍ରର ଆଭିମୁଖ୍ୟ ଏବେ ଜଣା ପଡ଼ିନାହିଁ ।

Leave a Reply