ବୈଠକ ସୁଫଳ ନହେଲେ, ପୁଣି ତୀବ୍ର ହେବ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ପୁଣି ସରକାର ଏବଂ କୃଷକଙ୍କ ମଧ୍ୟରେ ହେବ ଆଲୋଚନା । ଆସନ୍ତା 4 ତାରିଖରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ହେବ ବୈଠକ । ଏହି ବୈଠକ ପୂର୍ବରୁ ଶୁକ୍ରବାର ଚାଷୀ ସଙ୍ଗଠନ ସେମାନଙ୍କ ରଣନୀତି ନେଇ ଅବଗତ କରାଇଛନ୍ତି । ଯଦି ସରକାର ଆଗାମୀ ବୈଠକରେ ଚାଷୀଙ୍କ ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଂଗଠନ ।

ସେପଟେ ଚାଷୀ ସଙ୍ଗଠନ କହିଛି, ବୈଠକରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା 6 ତାରିଖରେ ଟ୍ରଲି ଯାତ୍ରା ବାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥି ସହ କୃଷି ଆଇନ ବିରୋଧରେ ଜନ ଜାଗୃତି ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଆଗାମୀ ରଣନୀତି ନେଇ ଶୁକ୍ରବାର ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିଥିଲା । ଯେଉଁଥିରେ ନିଆଯାଇଛି ଏଭଳି ନିଷ୍ପତ୍ତି ।

ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିବାବେଳେ ଆଗାମୀ ବୈଠକରେ କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଗାଜୀପୁର ସୀମାରେ ଆନ୍ଦୋଳନ ସମୟରେ ଜଣେ 57 ବର୍ଷୀୟ ଚାଷୀଙ୍କ ଦେହାନ୍ତ ହୋଇଛି । ୧ ଦଶମିକ ୧ ଡିଗ୍ରୀ ତାପମାତ୍ରାରେ ଦିଲ୍ଲୀରେ ୩୭ଦିନ ଧରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ।

Leave a Reply