ହରିଆଣା କୃଷିମନ୍ତ୍ରୀଙ୍କ ବିସ୍ଫୋରକ ବୟାନ; ଚଳିବନି ଆନ୍ଦୋଳନ, ଏହା ନୁହେଁ ଲାହୋର

ନୂଆଦିଲ୍ଲୀ: ସାତ ଦିନ ପରେ ମଧ୍ୟ ସରୁନାହିଁ ଆନ୍ଦୋଳନ । ଦିଲ୍ଲୀ ବର୍ଡରରେ ଜାରି ରହିଛି ଆନ୍ଦୋଳନ । ଗୋଟେପଟେ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି । ସ୍ଥିତି ଏମିତି ହେଲାଣି ଯେ, କୃଷକଙ୍କ ଦାବି ଏକପ୍ରକାର ଶୁଣିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ସେପଟେ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କ ବୟାନ ଚାଷୀଙ୍କ ନିଆଁରେ ଢାଳିଛି ଘିଅ । ଏପରି ଏକ ଉତ୍ତେଜନା ପୂର୍ଣ୍ଣ ବୟାନ ଦେଇଛନ୍ତି ହରିଆଣା କୃଷି ମନ୍ତ୍ରୀ ଜେପି ଦଲାଲ ।

ବିସ୍ଫୋରକ ବୟାନ ଦେଇ ଜେପି ଦଲାଲ କହିଛନ୍ତି, ମୁଁ ସମସ୍ତ କୃଷକ ଭାଇମାନଙ୍କୁ ନିବେଦନ କରୁଛି ସହୃଦୟର ସହକାରେ ସରକାର ସହ ଆଲୋଚନା କରନ୍ତୁ । ବିନମ୍ରତାର ସହ କଥା ହୁଅନ୍ତୁ । ଏହା କରାଚୀ କିମ୍ବା ଲୋହୋର ନୁହେଁ ଯେ, ଏଠାରେ ଏପରି ଆନ୍ଦୋଳନକୁ ସହ୍ୟ କରାଯିବ  ।  ତେଣୁ ଆନ୍ଦୋଳନ ନୁହେଁ ଆଲୋଚନା କର ବୋଲି କୃଷକଙ୍କୁ କହିଛନ୍ତି ହରିଆଣା କୃଷିମନ୍ତ୍ରୀ  ।

ସେହିପରି ପୂର୍ବରୁ ମଧ୍ୟ ଏପରି ବୟାନ ଦେଇ ଆନ୍ଦୋଳନରତ କୃଷକଙ୍କୁ ଆକ୍ଷେପ କରିଛନ୍ତି ଜେପି ଦଲାଲ । ସେ କହିଛନ୍ତି ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକ ହେଉଛନ୍ତି କଂଗ୍ରେସର କର୍ମୀ । ଏମାନଙ୍କର ଚାଷୀ କିମ୍ବା ଚାଷ ସହ କୌଣସି ସମ୍ପର୍କ ନାହିଁ । କେନ୍ଦ୍ର ସରକାର ପାରିତ କରିଥିବା କୃଷି ବିଲ ଚାଷୀଙ୍କ ହିତ ପାଇଁ କରାଯାଇଛି । କିନ୍ତୁ କଂଗ୍ରେସ ଚାଷୀ ଅଯଥା ରାଜନୀତି କରୁଥିବା କହିଥଲେ ହରିଆଣା କୃଷିମନ୍ତ୍ରୀ ଜେପି ଦଲାଲ ।

Leave a Reply