ସୁରକ୍ଷା କବଚ ଭାଙ୍ଗି କୋହଲିଙ୍କ ପାଖରେ ପହଞ୍ଚି ସେଲ୍ଫି ନେଲେ ଫ୍ୟାନ୍

ବେଙ୍ଗାଲୁର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଚାଲିଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ମ୍ୟାଚର ଦ୍ବିତୀୟ ଦିନ ଖେଳ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳିଥିଲା ଢିଲା । ଖେଳ ଶେଷ ହେବା ବେଳକୁ ୩ ଜଣ ଭାରତୀୟ ପ୍ରଶଂସକ ସୁରକ୍ଷା କବଚ ଭାଙ୍ଗି ପଡିଆରେ ପହଞ୍ଚି ଗଲେ । ଏମିତି କି ଜଣେ ପ୍ରଶଂସକ ବିରାଟ କୋହଲିଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ସକ୍ଷମ ହୋଇଥିଲେ । ଶ୍ରୀଲଙ୍କର ଦ୍ବିତୀୟ ପାଳର ୬ଷ୍ଠ ଓଭରରେ ଏହି ଘଟଣା ଘଟିଥିଲା । ମହମ୍ମଦ ସାମୀଙ୍କ ବଲରେ କୁସଲ ମେଣ୍ଡିସ୍ ଆହତ ହୋଇ ଫିଜିଓଙ୍କ ଚେକଅପ୍ ହେଉଥିବା ବେଳେ ଏହି ୩ ପ୍ରଶଂସକ ପଡିଆରେ ପଶି ଯାଇଥିଲେ ।

ପଡ଼ିଆକୁ ଯିବାର ସୁଯୋଗ ଥିବା ଦେଖି ୩ ଭାରତୀୟ ପ୍ରଶଂସକ ବ୍ୟାରିକେଡ ଭାଙ୍ଗି ପଡ଼ିଆରେ ପହଞ୍ଚି ଯାଇଥିଲେ । କୋହଲିଙ୍କ ପାଖରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣେ କୋହଲିଙ୍କୁ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ । କୋହଲି ମଧ୍ୟ ଖୁସି ଖୁସି ତାଙ୍କ ସହ ସେଲ୍ଫି ଉଠାଇ ଥିଲେ ।

ସେପଟେ ସୁରକ୍ଷା କର୍ମୀ ଖେଳାଳିଙ୍କ ପାଖରେ ପହଞ୍ଚିବା ସହ ଏହି ପ୍ରଶଂସକମାନଙ୍କୁ ପଡିଆରୁ ବାହାର କରିଥିଲା । ତେବେ ସୁରକ୍ଷାରେ ଉଲ୍ଲଂଘନକୁ ବଡ କଥା ନୁହେଁ ବୋଲି କହିଛନ୍ତି ବୁମ୍ରା । ଏହାସହ ଖେଳାଳିଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ମୋହାଲି ଟେଷ୍ଟରେ ମଧ୍ୟ ପ୍ରଶଂସକ ସୁରକ୍ଷା ଭାଙ୍ଗି ପଡ଼ିଆରେ ପହଞ୍ଚି ଯାଇଥିଲେ । ମୋହାଲିରେ ଜଣେ ଖେଳାଳି ପଡ଼ିଆକୁ ଆସିଯାଇଥିବା ବେଳେ ବେଙ୍ଗାଲୁରୁରେ ୩ ଜଣ ପଶି ଯାଇଥିଲେ । ଲଗାତର ଦୁଇଟି ଟେଷ୍ଟରେ ଦର୍ଶକ ପଡିଆରେ ପଶି ଆସିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ବିଶେଷଜ୍ଞ । ଏହା ଉପରେ ଧ୍ୟାନ ଦିଆଯିବା ସହ ଖେଳାଳିଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି ।