କରୋନା ଚିକିତ୍ସା ନେଇ ମିଥ୍ୟା ଖବର ପ୍ରସାରଣ ମାମଲା, ପକ୍ଷ ରଖିବାକୁ ୭ ଦିନର ସମୟ ମାଗିଲା ନ୍ୟୁଜ୍ ଚ୍ୟାନେଲ

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ସମ୍ପର୍କରେ ମିଛ ଖବର ପ୍ରସାରଣ ପ୍ରସଙ୍ଗରେ ଥାନାରେ ହାଜର ହେଲେନି ମିଥ୍ୟା ଖବର ପ୍ରସାରଣ କରିଥିବା ନ୍ୟୁଜ୍ ଚ୍ୟାନେଲ । ନିଜ ପକ୍ଷ ରଖିବା ପାଇଁ ଚ୍ୟାନେଲ ପକ୍ଷରୁ ୭ ଦିନ ସମୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି । ଯେହେତୁ ସମଗ୍ର ଘଟଣା ସ୍ପଷ୍ଟ, ସଂପୃକ୍ତ ଚ୍ୟାନେଲ କଣ ପକ୍ଷ ରଖିବେ ତାହା ଜାଣିନପାରିବାରୁ ସମୟ ମାଗିଥିବା ଜଣାପଡିଛି ।  ଗତକାଲି ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା ବିଏମସି । ବିଏମସି ଅଭିଯୋଗ ଆଧାରରେ ସମ୍ପୃକ୍ତ ଚ୍ୟାନେଲକୁ ଥାନାରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ଆଜି କର୍ତ୍ତୃପକ୍ଷ ନିଜ ପକ୍ଷ ରଖିବାକୁ ଥାନାରେ ହାଜର ହେବାର ଥିଲା  । ହେଲେ ସମୟ ମାଗି ତାକୁ ଘୁଞ୍ଚାଇ ଦେଇଛନ୍ତି । ସୂଚନା ଅନୁସାରେ, କୋଭିଡ ହସ୍ପିଟାଲ ପରିଚାଳନା ନେଇ ସମ୍ପୃକ୍ତ ଚ୍ୟାନେଲ ମିଛ ଓ କପୋଳକଳ୍ପିତ ଖବରପ୍ରସାରଣ କରିଥିଲା । ଏନଇ ପ୍ରତିଷ୍ଠିତ କୋଭିଡ ହସ୍ପିଟାଲର ଡାକ୍ତର ଓ ବରିଷ୍ଠ ଅଧିକାରୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ,  ବିଏମସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଗତକାଲି କୁହାଯାଇଥିଲା ଯେ, ଅଗଷ୍ଟ ୬ ତାରିଖ ଦିନ ଗୋଟିଏ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ  ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି ବୋଲି କଥା ହେଉଥିଲେ । ଦିନକୁ ଶହେ ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି । ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଥିଲା । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହି  ବିଏମ୍‌ସି ଥାନାରେ ଏତଲା ଦେଇଥିଲା ।

କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା

Leave a Reply