ଅସଲି ପୋଲିସକୁ ପିଟିଲା ନକଲି ପୋଲିସ

ଭୁବନେଶ୍ବର: ପୋଲିସକୁ ପୋଲିସର ମାଡ଼ । ଜଣେ ପୋଲିସ ପୋଷାକରେ । ଆଉ ଜଣେ ସାଧା ପୋଷାକରେ । ଖାକିରେ ଥିବା ବାବୁ କନଷ୍ଟେବଳ ହୋଇଥିବା ବେଳେ ସଧା ପୋଷାକରେ ଥିବା ବାବୁ ନିଜକୁ ଡିଏସପିର ପରିଚୟ ଦେଉଥିଲେ । ରାସ୍ତା ଉପରେ ହେଲେ ଗଡ଼ାପଡ଼ା, ଧସ୍ତାଧସ୍ତି । ତଳେ ପଡ଼ି ହେଲେ କାଦୁଆ । ପରେ ଜଣାପଡ଼ିଲା ସାଧା ପୋଷାକରେ ଥିବା ବାବୁ ଜଣଙ୍କ ନକଲି ପୋଲିସ । ପଚରା ଉପରା ପାଇଁ ଉଠାଇ ନେଲା ଅସଲି ପୋଲିସ ।

ଘଟଣା ଭୁବନେଶ୍ବର ଭିଏସଏସ ନଗର ହାଟର । ଜଣେ ବ୍ୟକ୍ତି ରାସ୍ତା ଉପରେ ଗାଡ଼ି ରଖି ମଟନ କିଣୁଥିଲେ । ଏହି ସମରେ ଡ୍ୟୁଟିରେ ଥିବା ଫାଣ୍ଡିର କନଷ୍ଟେବଳ ଆସି ବାବୁ ଜଣଙ୍କୁ ରାସ୍ତାରୁ ଗାଡି ହଟାଇବାକୁ କହିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ବାବୁ ଜଣଙ୍କ । କନଷ୍ଟେବଳଙ୍କୁ ନାଲି ଆଖି ଦେଖାଇବା ସହ ନିଜକୁ ଡିଏସପି ବୋଲି ପରିଚୟ ଦେଇଥିଲେ । ଏତିକିରେ କଥା ସରି ନଥିଲା ବାବୁ ଜଣଙ୍କ ବର୍ଦ୍ଦିରେ ଥିବା କନଷ୍ଟେବଳଙ୍କୁ ହାତ ଉଠାଇବା ସହ ଠେଲାପେଲା କରିଥିଲେ । ପରେ ସ୍ଥାନୀୟ ଲୋକେ ଓ ଦୋକାନୀ ଏକାଠି ହୋଇ ଉଭୟଙ୍କୁ ଅଟକାଇଥିଲେ । ଏହାପରେ ଥାନାକୁ ଯାଇଥିଲା ଫୋନ୍ । ଥାନା କର୍ମଚାରୀ ଆସି ପହଞ୍ଚିବା ପରେ ଧରା ପଡିଥିଲା ମଟନ କିଣା ବାବୁଙ୍କ ମିଛ । ବାବୁ ଜଣଙ୍କ କୌଣସି ଥାନାର ଡିଏସପି ନଥିଲେ । ଏହାପରେ ପୋଲିସ ଗାଡ଼ିରେ ନକଲି ପୋଲିସକୁ ବସାଇ ଥାନାକୁ ନେଇଯାଇଥିଲେ ଅସଲି ପୋଲିସ ।

ତେବେ ଅସଲି ଓ ନକଲି ପୋଲିସଙ୍କ ହାତାହାତି ଭିଡିଓ ଭାଇରାଲ ହେବାରେ ଲାଗିଛି । ନକଲି ପୋଲିସ ଜଣଙ୍କ ମଦ ପିଇଥିବା ମଧ୍ୟ ଅଭିଯୋଗ ହୋଇଛି ।