ଉତ୍ତର ପ୍ରଦେଶରେ ଜାଲ ନୋଟ୍‌ ପ୍ରସ୍ତୁତକାରୀ ରାକେଟ ଠାବ, ଓଡିଶା ଯାଏଁ ଲମ୍ବିଛି ଚେର

ଭଦ୍ରକ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାଲ୍ ନୋଟ ପ୍ରସ୍ତୁତକାରୀ ରାକେଟ ଠାବ। ଉଚ୍ଚମାନର ଜାଲ ନୋଟ ପ୍ରସ୍ତୁତ କରୁଥିବା ଗ୍ଯାଙ୍ଗକୁ ଧରିଛି ପୋଲିସ। ଅତ୍ତରସୁୟା ଅଞ୍ଚଳରେ ଥିବା ଏକ ମଦ୍ରାସାରେ ଏହି ରାକେଟ ଚାଲିଥିବା ସୂଚନା ମିଳିଛି। ଘଟଣାରେ ମଦ୍ରାସା ପ୍ରିନ୍ସିପାଲ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ଗତ ଅଗଷ୍ଟ ୨୮ରେ ପୋଲିସ ଜାମିଆ ହିବିବିୟା ମଦ୍ରାସାରେ ରେଡ କରିଥିଲା ଏବଂ ୧ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଥିଲା। ସେଠାରୁ ଏକ ପ୍ରିଣ୍ଟର ଓ ଜାଲ୍ ନୋଟ ପ୍ରସ୍ତୁତରେ ବ୍ଯବହୃତ କେତେକ ଯନ୍ତ୍ରପାତି ଜବତ କରିଛି। ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ, ମହମ୍ମଦ ଆଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ।

ଗିରଫ ଅଭିଯୁକ୍ତ ଜାହିର ଖାଁର ଘର ଭଦ୍ରକ ବାସୁଦେବପୁର ବୋଲି ସୂଚନା ମିଳିଛି। କାର୍ଯ୍ୟକାରୀ ଅଧ୍ଯକ୍ଷ ତଫସିରୁଲଙ୍କ ପକ୍ଷରୁ ଜାଲନୋଟ ପ୍ରସ୍ତୁତ ଲାଗି ଏକ ରୁମ ଦିଆଯାଇଥିଲା ବୋଲି ପୋଲିସ କହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର,ଝାଡଖଣ୍ଡ ଆଦି ରାଜ୍ଯରୁ ଏହି ମଦ୍ରାସା ଛାତ୍ର ସଂଗ୍ରହ କରୁଥିବା ସୂଚନା ମିଳିଛି। ଏହି ଗ୍ୟାଙ୍ଗ ଉପରେ ପୋଲିସ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସେପଟେ ଭଦ୍ରକ ବାସୁଦେବପୁରର ଜାହିର ଖାଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପ୍ରୟାଗରାଜ ପୋଲିସ। ସେ ପ୍ରୟାଗରାଜ ଜାମିଆ ହବିବିୟା ମଦ୍ରାସାରେ ଥିଲେ ବୋଲି ସୂଚନା ମିଳିଛି। ତାଙ୍କ ବାପା ସାଜିଦ ଖାଁ ଗ୍ରାମରେ ରୁହନ୍ତି। ବାସୁଦେବପୁର ପୌରପାଳିକାର ଶୁକଦେବପୁର ୧୩ ୱାର୍ଡର ସାଜିଦ ଖାନଙ୍କ ମଝିଆ ପୁଅ ଜାହିର । ତାଙ୍କ ବୟସ ୨୦ ବର୍ଷ । ଜାମିଆ ହବିବିୟା ମଦ୍ରାସା ପ୍ରୟାଗରାଜରେ ପଢିବା ପାଇଁ ଛଅ ବର୍ଷ ତଳେ ଯାଇଥିଲା । ପ୍ରାଥମିକ ଭାବେ ସେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢି ଭଦ୍ରକ ଗୁଜିଦରଡା ମଦ୍ରାସାରେ ପଢିଥିଲା। ପରେ ପ୍ରୟାଗରାଜ ମଦ୍ରାସାରେ ପଢୁଥିଲା। ବାପା କହିଛନ୍ତି ଯିଏ ଦୋଷ କରିଛି ସିଏ ଦଣ୍ଡ ପାଉ ।