ପୁସ୍ତକ ଲେଖା, ଦୈନନ୍ଦିନ ଜୀବନ, ପ୍ରେରଣା ସମ୍ବନ୍ଧରେ ବର୍ଣ୍ଣନା କଲେ ଲେଖିକା ଗାୟତ୍ରୀବାଳା ପଣ୍ଡା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଷ୍ଟିଭାଲ ଅଫ ଲେଟର ବା ସାହିତ୍ୟ ଉତ୍ସବର ତୃତୀୟ ଦିନରେ ୫ଜଣ ଏକାଡେମୀ ପୁରସ୍କାର ବିଜେତାଙ୍କୁ ନେଇ ଫେସ୍ ଟୁ ଫେସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ଲେଖା, ଦୈନନ୍ଦିନ ଜୀବନ, ପ୍ରେରଣା ସମ୍ବନ୍ଧରେ ଦୀର୍ଘ ୪୫ ମିନିଟ ଧରି ବିଜେତାମାନେ ବର୍ଣ୍ଣନା କରିଥିଲେ । ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପ୍ରାପ୍ତ ପ୍ରଖ୍ୟାତ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କ ସହ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ର ସିଧାସଳଖ ଆଲୋଚନା କରିଥିଲେ ।

ଏହି ଅବସରରେ ନିଜର କବିତା ସଂକଳନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ଲେଖିକା ଗାୟତ୍ରୀବାଳା ପଣ୍ଡା । ଶ୍ରୀମତି ପଣ୍ଡା କହିଥିଲେ, ଏହି ଦୟାନଦୀ କବିତା ମାଧ୍ୟମରେ ଶାନ୍ତି ମୈତ୍ରୀ ଓ ମାନବିକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛି । ଯୁଦ୍ଧ ସବୁବେଳେ ବିନାଶ କରେ ଆଉ ଶାନ୍ତି ପ୍ରଗତି ଦେଇଥାଏ । ଇତିହାସକୁ କବିତାରେ ରୂପାନ୍ତର କରି ସାମଜକୁ ସଚେତନ କରାଇବାର କାର୍ଯ୍ୟ କରିଥିବାରୁ ଶ୍ରୀମତି ପଣ୍ଡାଙ୍କୁ ରାଜେନ୍ଦ୍ର ମିଶ୍ର ପ୍ରଶଂସା କରିଥିଲେ । ତେବେ କବିତା ସଂକଳନ ଦୟାନଦୀ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି ଗାୟତ୍ରୀବାଳା ।

କଳିଙ୍ଗ ଯୁଦ୍ଧ ଉପରେ ୬୪ଟି କବିତା ପୁସ୍ତକରେ ସ୍ଥାନ ପାଇଛି । ୨୦୧୭ ମସିହାରେ ଏହି ପୁସ୍ତକ ପକ୍ଷୀଘର ପ୍ରକାଶନ ଦ୍ବାରା ପ୍ରକାଶିତ ହୋଇଥିଲା । ଏହା ପୂର୍ବରୁ ୨୦୧୧ ରେ କବିତା ସଂକଳନ ଗାଆଁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିଲେ ଗାୟତ୍ରୀବାଳା । କେନ୍ଦ୍ର ସାହିତ୍ୟ ଏକାଡେମୀରୁ ୨ ଥର ପୁରସ୍କୃତ ହେବାରେ ସେ ପ୍ରଥମ ଓଡ଼ିଆ କବି । ସାହିତ୍ୟ ଏକାଡେମୀର ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଷ୍ଟିଭାଲ ଅଫ ଲେଟର ବା ସାହିତ୍ୟ ଉତ୍ସବ ଚାଲିବ ।