ଜୁଲାଇ ୧୨ ଯାଏ ବଢ଼ିଲା କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୧୨ ଯାଏ ବଢ଼ିଲା କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ। ଦିଲ୍ଲୀ ମଦ ଦୁର୍ନୀତିରେ କୋର୍ଟ ଆହୁରି ୯ ଦିନ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ବୃଦ୍ଧି କରିଛନ୍ତି। ଇଡି ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ଅଛନ୍ତି। ଭିଡିଓ କନଫରେନସିଂରେ କୋର୍ଟରେ ସେ ହାଜର ହୋଇଥିଲେ।

ଏହା ପୂର୍ବରୁ ତାଙ୍କୁ ୩ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା ସିବିଆଇ। ଦିଲ୍ଲୀ ମଦ ନୀତି ମାମଲାରେ ତାଙ୍କୁ ପ୍ରଥମ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜୁନ ୨୦ରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଦେଇଥିଲେ ଦିନକ ପରେ। ସୁପ୍ରିମକୋର୍ଟରେ ତାର ଶୁଣାଣି ହେବା ଆଗରୁ ଜୁନ୍ ୨୫ରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସେପଟେ ମେଡିକାଲ ଚେକ୍ ଅପ୍ ସମୟରେ ତାଙ୍କ ପତ୍ନୀଙ୍କୁ ରହିବାର ଅନୁମତି ଦେବାକୁ କୋର୍ଟଙ୍କୁ ଆଗରୁ ଅନୁରୋଧ କରିଥିଲେ କେଜ୍ରିୱାଲ। ଏହାର ରାୟ ସଂରକ୍ଷିତ ରଖାଯାଇଛି।