ବିଜେଡିରେ ମିଶିଲେ ହିଞ୍ଜିଳିକାଟୁର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର

ଭୁବନେଶ୍ୱର: ବିଜେଡି ଶିବିରରେ ହିଞ୍ଜିଳିକାଟୁର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର । ବିଧିବଦ୍ଧ ଭାବେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦେବାନନ୍ଦ ମହାପାତ୍ର ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୯୦ ପ୍ରତିଶତ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରତିଫଳନ ଫଳାଫଳରେ ଦେଖିବାକୁ ମିଳିଛି । ୨୪ ଘଣ୍ଟା ସେ ଲୋକଙ୍କ ପାଇଁ କାମ କରୁଛନ୍ତି । ତେଣୁ ବିଜେପି ଓ କଂଗ୍ରେସ ନେତା ଦଳ ଛାଡ଼ି ବିଜେଡିକୁ ଆସୁଛନ୍ତି । ହିଞ୍ଜିଳିକାଟୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ । ଅନ୍ୟ ସବୁଠି ବି ସେପରି କାମ ଚାଲିଛି । ବିଜେଡିରେ ମାନ ସମ୍ମାନ ଓ ଅଭିମାନ କାଏମ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଥିବା ପ୍ରଣବ କହିଛନ୍ତି । ଗତ ୬ ତାରିଖରେ ଦେବାନନ୍ଦ ମହାପାତ୍ର ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର କିଛି ଶୀର୍ଷସ୍ତରୀୟ ନେତା ତୃଣମୂଳ କର୍ମୀଙ୍କୁ ଅଣଦେଖା ଓ ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ୧୯୮୮ରୁ ସେ ବିଜେପିରେ ଯୋଗ ଦେଇଥିଲେ । ୨୦୦୯ ଓ ୨୦୧୪ରେ ହିଞ୍ଜିଳିକାଟୁ ବିଧାନସଭା ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ।