ଫାଦର ଷ୍ଟାନ ସ୍ୱାମୀଙ୍କୁ ନେଇ ବିସ୍ଫୋରକ ତଥ୍ୟ, ଫସାଇବା ଲାଗି ସାଇବର ଆକ୍ରମଣକାରୀ କମ୍ପ୍ୟୁଟରରେ କରିଥିଲେ କାରସାଦି

1 min read

ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା ଫାଦର ଷ୍ଟାନ ସ୍ୱାମୀଙ୍କୁ ନେଇ ବିସ୍ଫୋରକ ତଥ୍ୟ । ଷ୍ଟାନଙ୍କୁ ଫସାଇବା ଲାଗି ତାଙ୍କ କମ୍ପ୍ୟୁଟରରେ ବିଭିନ୍ନ ପ୍ରକାର କାରସାଦି କରାଯାଇଥିଲା ବୋଲି ଆମେରିକାର ଏକ ଫରେନସିକ ଫାର୍ମ ପକ୍ଷରୁ କୁହାଯାଇଛି । ୨୦୨୦ରେ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ହାଜତରେ ତାଙ୍କର ମୃତ୍ୟୁ ଘଟିଥିଲା । ଫାଦର ଷ୍ଟାନ ଓ ମାଓବାଦୀ ନେତାଙ୍କ ସହ ଇଲେକ୍ଟ୍ରୋନିକ ମାଧ୍ୟମ ଜରିଆରେ କଥାବାର୍ତ୍ତା ଚାଲିଥିଲା ବୋଲି ଏନଆଇଏ ଅଭିଯୋଗ କରିଥିଲା । ବୋଷ୍ଟନଭିତ୍ତିକ ଫରେନସିକ ସଂସ୍ଥା ଆର୍ସେନାଲ କନସଲଟିଂ ପକ୍ଷରୁ କୁହାଯାଇଛି- ଅଜଣା ସାଇବର ଆକ୍ରମଣକାରୀଙ୍କ ଦ୍ବାରା ଷ୍ଟାନଙ୍କ କମ୍ପ୍ୟୁଟରରେ ୨୦୧୪ରୁ ୫ ବର୍ଷ ଧରି ବିଭିନ୍ନ ମିଥ୍ୟା ତଥ୍ୟର ଆଦାନପ୍ରଦାନ ହୋଇଥିଲା । ଏହି କାରଣକୁ ନେଇ ୨୦୧୯ରେ ଷ୍ଟାନଙ୍କୁ ସ୍କାନରରେ ଆଣିଥିଲା ଏନଆଇଏ ।

ଏହି ଅଜଣା ସାଇବର ଆକ୍ରମଣକାରୀ ଷ୍ଟାନଙ୍କ ସମେତ ରୋନା ଓ୍ୱିଲସନଙ୍କ କମ୍ପ୍ୟୁଟରରେ ୩୦ଟି ନଥି ଓ ସୁରେନ୍ଦ୍ର ଗାଡଲିଙ୍ଗଙ୍କ କମ୍ପ୍ୟୁଟରରେ ୧୪ଟି ନଥି ସାମିଲ କରିଥିଲା । ଆଦିବାସୀଙ୍କ ଲାଗି ସାରା ଜୀବନ ସଂଗ୍ରାମ କରିଥିବା ଫାଦର ଷ୍ଟାନ ସ୍ବାମୀଙ୍କ ମୃତ୍ୟୁ ନେଇ ଝଡ ସୃଷ୍ଟି ହୋଇଥିଲା । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଅନୁସାରେ ଗିରଫ ଷ୍ଟାନଙ୍କ ଆକୁଳ ପ୍ରାର୍ଥନା କାହାରି କାନରେ ବାଜି ନଥିଲା । ଦୁରାରୋଗରେ ପୀଡିତ ଷ୍ଟାନ ମୁମ୍ବାଇର ତାଲୋଜା ଜେଲରେ ଥାଇ କୋର୍ଟରେ ଶେଷ ନିବେଦନ କରିଥିଲେ ବି ତାଙ୍କୁ ଜାମିନ ମିଳି ନଥିଲା । ଶେଷରେ ଏକ ହସ୍ପିଟାଲରେ ଗତ ୫ ଜୁଲାଇ ୨୦୨୧ରେ ଆଖି ବୁଜିଥିଲେ ଷ୍ଟାନ ।