ଚାକିରିରୁ ଅବସର ନେବାର ୧୧ ବର୍ଷ ପରେ ବି ମିଳିନି ଦିବ୍ୟାଙ୍ଗଙ୍କୁ ପେନସନ, ହାଇକୋର୍ଟଙ୍କ ରାୟକୁ ସ୍ବାସ୍ଥ୍ୟ ବିଭାଗର ଫୁ…

ସାଲେପୁର: ସ୍ୱାସ୍ଥ୍ୟ ବିଭାଗର ମନମାନୀ । ଚାକିରିରୁ ଅବସରର ୧୧ ବର୍ଷ ପରେ ମଧ୍ଯ ଜଣେ ଦିବ୍ଯାଙ୍ଗ ବୃଦ୍ଧାଙ୍କୁ ମିଳୁନି ପେନସନ । ଏନେଇ ସେ ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ମାମଲାର ବିସ୍ତୃତ ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ଯାନୁଷ୍ଠାନ ନେବାକୁ ସ୍ଵାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାବତ୍ ଜାନକୀଙ୍କ ଯାତନାର ଅନ୍ତ ଘଟି ନାହିଁ ।

କଟକ ଜିଲ୍ଲା ସାଲେପୁର ବ୍ଲକ ତ୍ରିଲୋଚନପୁର ଗାଁର ଦିବ୍ଯାଙ୍ଗ ବୃଦ୍ଧା ଜାନକୀ ଦାସ । ୧୯୮୩ ମସିହାରୁ ସ୍ୱାସ୍ଥ୍ୟ ବିଭାଗର ପାଥଲୋଜି ଆସିଷ୍ଟାଣ୍ଟ ଭାବେ ବିଭିନ୍ନ ମେଡିକାଲରେ ରହି ସେବା କରି ଆସୁଥିଲେ । ୨୦୧୪ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ । ମାତ୍ର ଅବସରକୁ ଦୀର୍ଘ ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ବୃଦ୍ଧାଙ୍କୁ ଏପର୍ଯ୍ଯନ୍ତ ପେନସନ ମିଳିନାହିଁ । ଏନେଇ ସେ ମାନ୍ୟବର ଅଦାଲତଙ୍କ ଆଶ୍ରୟ ନେଇଥିଲେ । ଓଡିଶା ହାଇକୋର୍ଟ ଗତବର୍ଷ ଏପ୍ରିଲ ୨୨ ତାରିଖରେ ମାମଲାର ବିସ୍ତୃତ ଶୁଣାଣି କରି ତାଙ୍କ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ଯାନୁଷ୍ଠାନ ଲାଗି ସ୍ଵାସ୍ଥ୍ଯ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ସେ ପୁଣି ଥରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଵାସ୍ଥ୍ଯ ବିଭାଗ ନିର୍ଦ୍ଦେଶକୁ ଅନୁପାଳନ କରୁ ନଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିବା ସହିତ ୪ ସପ୍ତାହ ମଧ୍ଯରେ ଘଟଣାର ସମାଧାନ କରିବାକୁ ତାଗିଦ କରିଛନ୍ତି ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ବର୍ଷ ତଳୁ ତାଙ୍କୁ ଶାରୀରିକ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନିଜର ଦୟା ଅନୁକମ୍ପା ଦେଇ ସାରିଛନ୍ତି । ହେଲେ ଅବସର ପରେ ତାଙ୍କୁ ଏପର୍ଯ୍ଯନ୍ତ ପେନସନ ମିଳୁନାହିଁ । ଫଳରେ ସେ ନିଜର ଚିକିତ୍ସା କରିପାରୁନାହାଁନ୍ତି । ଏଠି ପ୍ରଶ୍ନ ଉଠୁଛି, ବୃଦ୍ଧାଙ୍କ ପ୍ରତି ସ୍ଵାସ୍ଥ୍ଯ ବିଭାଗର ଏ ଅବହେଳା କାହିଁକି ? କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସ୍ଵାସ୍ଥ୍ଯ ବିଭାଗ ଅବମାନନା କଲା କେମିତି ? ନା ଏହା ପଛରେ ଅନ୍ଯ କିଛି ଷଡଯନ୍ତ୍ର ରହିଛି । ଯାହାର ତଦନ୍ତ କରିବା ସାଙ୍ଗକୁ ବୃଦ୍ଧାଙ୍କୁ ସମସ୍ତ ପେନସନ ଟଙ୍କା ଯୋଗାଇ ଦେବାକୁ ଦାବି ହୋଇଛି ।