ଦଶମ ଶ୍ରେଣୀ ପୁସ୍ତକରେ ତ୍ରୁଟି: ୪ ବର୍ଷ ହେଲା ଚାଲିଛି ତ୍ରୁଟିପୂର୍ଣ୍ଣ ପାଠପଢ଼ା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନ ଦଶମ ଶ୍ରେଣୀ ପୁସ୍ତକରେ ତ୍ରୁଟି । କୋରାପୁଟର ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶରେ ଥିବା ରହିଛି ଉଲ୍ଲେଖ । ଭୂଗୋଳ ଓ ଅର୍ଥନୀତି ପୁସ୍ତକରେ ରହିଛି ଏଭଳି ତ୍ରୁଟି । କିନ୍ତୁ ଜୀବ ବିଜ୍ଞାନ ବହିରେ ଥିବା ତଥ୍ୟ ଠକ୍‌ ଅଛି । ଏନେଇ ଛାତ୍ରଛାତ୍ରୀ, ଶିକ୍ଷକ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ବର୍ଷେ ନୁହେଁ, ଚାରି ବର୍ଷ ଧରି ଏହି ତ୍ରୁଟି ରହି ଆସୁଛି । ଏପରି ସ୍ଥିତିରେ ଦାୟିତ୍ବରେ ଥିବା ଅଧିକାରୀଙ୍କ କାମ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

୨୦୧୮, ୨୦୧୯ ଓ ୨୦୨୦ ପରେ ୨୦୨୧ ମସିହାର ସଂସ୍କରଣରେ ମଧ୍ୟ ତ୍ରୁଟି ସଂଶୋଧନ ହୋଇନାହିଁ । ହେଲେ ସେହି ଦଶମ ଶ୍ରେଣୀର ଜୀବ ବିଜ୍ଞାନ ବହିରେ ମାଛକୁଣ୍ଡ ଓଡ଼ିଶାର ବୋଲି ଉଲ୍ଲେଖ ଅଛି । ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ଯାହାକୁ ନେଇ ଅଭିଭାବକ ମହାସଂଘ ପ୍ରତିବାଦ କରିଛି । ବାରମ୍ବାର ଏଭଳି ଭୁଲ ତଥ୍ୟ ପିଲାଙ୍କୁ ପଢାଯାଉଥିଲେ ମଧ୍ୟ କାହିଁକି ସଂଶୋଧନ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି ।

୧୯୫୫ରେ କୋରାପୁଟ ଜିଲ୍ଲା ଅନକାଡେଲୀରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହା ସୀମାନ୍ତରେ ଥିଲେ ମଧ୍ୟ ଆନ୍ଧ୍ରରେ ନୁହେଁ, ଓଡ଼ିଶାର । କିନ୍ତୁ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରରେ ବୋଲି ଉଲ୍ଲେଖ ଅଛି । ଏହାକୁ ଠକ୍‌ କରି ପଢ଼ାଉଥିବା ଶିକ୍ଷକମାନେ କହୁଛନ୍ତି । ତେବେ ୪ ବର୍ଷ ଧରି ଭୁଲ ହେବା ମୁଦ୍ରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାକୁ ଦର୍ଶାଉଛି ।