ଅନନ୍ତନାଗରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଲଗାତାର ସେନା ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି । ଗତ କିଛି ଦିନ ହେବ କମ୍ବିଂ ଅପରେସନ କରାଯାଇ ଆତଙ୍କୀମାନଙ୍କୁ ନିପାତ କରାଯାଉଛି । ଏବେ ବି ଆତଙ୍କବାଦ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି । ଗତକାଲି ବିଳିମ୍ବିତ ରାତିରେ ମଧ୍ୟ ଅନନ୍ତନାଗରେ ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଖବର ଆସିଥିଲା ।

ଆଜି ସକାଳୁ ସକାଳୁ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଞ୍ଚଳରେ ଏବେବି ଅପରେଶନ ଜାରି ରହିଛି । ତେବେ ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ତଙ୍ଗପାୱାରେ ଆତଙ୍କବାଦୀଙ୍କ ଲୁଚିରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । ତଲାସ ଅଭିଯାନ ସମୟରେ ଆତଙ୍କୀ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା । ରାତିସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏବଂ ସକାଳୁ ଦୁଇ ଆତଙ୍କୀଙ୍କୁ ସେନା ମାରି ଗଡ଼ାଇଛି ।