ଗାଁରେ ପଶିଲେ ହାତୀପଲ ଘର ଭାଙ୍ଗିଲେ, ଧାନ ବସ୍ତା ଘୋଷାଡ଼ି ଖାଇଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରପ । ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚା କୁ ଭାଙ୍ଗିଲେ । ସେପଟେ ମଞ୍ଚାରେ ଶୋଇଥିବା ଚାଷୀ ମଦନ ସାହୁ ଅଳ୍ପକେ ବର୍ତ୍ତିଲେ । ସେହିଭଳି ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ, ବିଭୁତି ପ୍ରଧାନଙ୍କର ପ୍ରାୟ ୩୦ ବସ୍ତା ଧାନକୁ ହାତୀ ଖାଇବା ସହ ନଷ୍ଟ କରିଦେଇଛି ।

ଖାଲି ସେତିକି ନୁହଁ, କଦଳୀ ଗଛ ଓ ନଡ଼ିଆ ଗଛ କୁ ମଧ୍ୟ ନଷ୍ଟ କରିଛନ୍ତି ହାତୀ ପଲ । ଅନ୍ୟପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା । ସେଠାରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି ହାତୀ ।

ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି । ହାତୀପଲ ଗାଁ ପାଖରେ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ବନ ବିଭାଗ ହାତୀ ଉପରେ ନଜର ରଖିଛି ।

Leave a Reply