ଧାମନଗର ଉପନିର୍ବାଚନ; ଆଜିଠୁ ଆରମ୍ଭ ହେବ ପ୍ରଚାର

ଧାମନଗର: କମ୍ପୁଛି ଧାମନଗର। ମଇଦାନରେ ହେଭିଓ୍ବେଟଙ୍କ ଭିଡ଼। ଆଜିଠୁ ଆରମ୍ଭ ହେବ ଅଫିସିଆଲ ପ୍ରଚାର । ଘର ଘର ବୁଲି ଭୋଟ ମାଗିବେ ନେତା । ନିଜ ନିଜ ପ୍ରାର୍ଥୀଙ୍କୁ ଧରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିବେ ଦଳୀୟ କର୍ମୀ । ନିର୍ବାଚନ ବିଜୟ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ।

ବିଜେଡି ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଆଧାରରେ ଭୋଟ୍ ମାଗୁଥିବା ବେଳେ ବିଜେପି ନିଜର ଗଡ଼ ବଞ୍ଚାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ଉପରେ ଭରଷା କରିଛି । କଂଗ୍ରେସ ଭଲ ସ୍ଥିତିକୁ ଫେରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ୩ ଦଳ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିବା ବେଳେ ସେମାନେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ।

ଧାମନଗର ଉପନିର୍ବାଚନରେ ୨ଲକ୍ଷ ୩୮ ହଜାର ୪୧୭  ମତଦାତା ବାଛିବେ ନିଜର ବିଧାୟକଙ୍କୁ । ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି। ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ବାଲାଟ ବ୍ୟବସ୍ଥା ହୋଇଛି । ସେମାନଙ୍କ ଭୋଟ୍ ସଂଗ୍ରହ ପାଇଁ ୨୦ଟି ପୋଲିଂ ପାର୍ଟି ଗଠନ କରାଯାଇଛି । ଏହାର ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ଏବେସୁଦ୍ଧା ୧୦୭ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ୨୬ଜଣ ମାଇକ୍ରୋ ଅବଜର୍ଭର, ୨ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସଏଫ୍, ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ନିର୍ବାଚନ ପାଇଁ ମୁତୟନ ହେବେ।