ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ସରଜମିନରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ମାସିକ ଭତ୍ତା ଟିକିଏ ପାଇବା ପାଇଁ ଆଜି ବି ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ନାହିଁ ନଥିବା ହଇରାଣ ହରକତ ହେବାକୁ ପଡ଼ୁଛି। ବୟସର ଅପରାହ୍ନରେ ପହଞ୍ଚିଥିବା ଏହି ଅସହାୟ ଲୋକମାନେ ଟଙ୍କା କେଇଟା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି।
ଏଭଳି ଏକ ଚିନ୍ତାନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଠୁରୁବୁରୀ ପଞ୍ଚାୟତରୁ। ଦୀର୍ଘ ଦିନ ହେବ ସରକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଥିବା ବହୁ ହିତାଧିକାରୀ ଶେଷରେ ବାଧ୍ୟ ହୋଇ ପ୍ରତିବାଦର ବାଟ ଆପଣେଇଛନ୍ତି। ନିଜର ପ୍ରାପ୍ୟ ହକ୍ ପାଇଁ ଶତାଧିକ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ଏକାଠି ହୋଇ ଗଣଧାରଣାରେ ବସିଛନ୍ତି।
ତେବେ ଆନ୍ଦୋଳନକାରୀମାନେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ନିଜ ନିଜର ଦୁଃଖ ଓ ସମସ୍ୟା ଜଣାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆବେଦନ କରିବାର ଦୀର୍ଘ ମାସ ବିତିଯାଇଥିଲେ ବି ସେମାନଙ୍କୁ ଭତ୍ତା ମିଳୁନାହିଁ। କେତେକଙ୍କୁ ବୈଷୟିକ ତ୍ରୁଟି କିମ୍ବା କାଗଜପତ୍ର ଯାଞ୍ଚ ନାଁରେ ସେମାନଙ୍କୁ କାର୍ଯ୍ୟାଳୟକୁ ବାରମ୍ବାର ଡକାଯାଉଥିଲେ ସୁଦ୍ଧା କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଯଥାଶୀଘ୍ର ସେମାନଙ୍କୁ ଭତ୍ତା ପ୍ରଦାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି।

