ଲିଙ୍ଗରାଜଙ୍କ ପୀଠରେ ରହିବେ ନାହିଁ ଭିକାରୀ, ‘ସହାୟ’ ଯୋଜନାରେ ସୁବିଧା ଦେବେ ସରକାର

ଭୁବନେଶ୍ୱର: ଭିକ୍ଷୁକମୁକ୍ତ ହେବ ଐତିହ୍ୟସ୍ଥଳୀ ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ଏକାମ୍ରକ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରକୁ ଭିକାରୀ ମୁକ୍ତ କରିବା ନେଇ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ପରିସରରେ ବସୁଥିବା ଭିକ୍ଷୁକଙ୍କୁ ସେଠାରୁ ଉଠାଯିବ ।
ସେପଟେ ଡିସେମ୍ବର ଶେଷ ସୁଦ୍ଧା ସୌନ୍ଦର୍ଯ୍ୟକରଣ ପାଇଁ ସରିବ ଜମି ଅଧିଗ୍ରହଣ କାର୍ଯ୍ୟ । ବିଏମସି , ବିଡିଏ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମନ୍ଦିର ପରିସରରେ ରହୁଥିବା ଭିକାରୀ ମାନଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ । ‘ସହାୟ’ଯୋଜନା ମାଧ୍ୟମରେ ଭୁବନେଶ୍ୱର ପ୍ରଶାସନ ଭିକାରୀ ଚିହ୍ନଟ ପକ୍ରିୟା ମଧ୍ୟ ଆରମ୍ଭ କରିଦେଇଛି । ଓଲଡ୍ ଟାଉନରେ ଏନେଇ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଘରକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଫେରାଇଦେବାର ସମସ୍ତ ବ୍ୟବସ୍ଥା କରାଯିବ ।


ଭିକାରୀ ଚିହ୍ନଟ ପାଇଁ ବିଭିନ୍ନ ଏନଜିଓ ଏବଂ ସରକାରୀ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଏକାମ୍ରକ୍ଷେତ୍ରର ଉନ୍ନତି ପାଇଁ ୯୦% ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଏମାସ ଶେଷ ସୁଦ୍ଧା ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି କହିଛି ବିଏମସି । ସେହିପରି ୬୦ଫୁଟିଆ ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି ।

Leave a Reply