ଚାକିରି ଲାଗି ଜମି ମାମଲା; ଇଡି ରେଡରେ ୧ କୋଟି ନଗଦ, ୨କେଜିର ସୁନା ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ଏକ କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି । ଇଡି ଏହା ମଧ୍ୟ କହିଛି ଯେ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । ତଦନ୍ତରେ ଜଣାଯାଇଛି ଯେ, ୩୫୦ କୋଟି ଟଙ୍କାର ଫ୍ଲାଟ ଏବଂ ୨୫୦ କୋଟି ଟଙ୍କାର ଲେଣଦେଣ ହୋଇଛି ।  ପ୍ରକାଶଥାଉକି, ଇଡି ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚାକିରି ବଦଳରେ ଜମି ମାମଲାରେ ସମ୍ବନ୍ଧିତ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛି ।

ଇଡି ଶୁକ୍ରବାର ଦିଲ୍ଲୀରେ ଲାଲୁ ପ୍ରସାଦଙ୍କ ପୁଅ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ବନ୍ଧିତ ଅନେକ ସ୍ଥାନରେ ରେଡ୍ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂର ଯାଞ୍ଚ ପାଇଁ ଲାଲୁ ପ୍ରସାଦଙ୍କ ତିନି ଝିଅ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତାମାନଙ୍କ ଠିକଣା ସମେତ ୨୪ ଟି ସ୍ଥାନରେ ରେଡ୍ ମାରିଛି । ଇଡି ଅନୁସାରେ ରେଡରେ ଏକ କୋଟିର ବେନାମି ଟଙ୍କା, ୧୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ ସୁନା ଏବଂ ୧.୫ କେଜି ସୁନାଗହଣା ଜବତ କରିଛି ।

ଅନ୍ୟପକ୍ଷରେ ସିବିଆଇ ମଧ୍ୟ ଏହି ମାମଲାରେ ସକ୍ରିୟ ହୋଇଯାଇଛି । ଆଜି ସିବିଆଇର ସମନ ସତ୍ତ୍ବେ ହାଜର ହୋଇନଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିନାହାନ୍ତି ବୋଲି ଦର୍ଶାଇଛନ୍ତି । ଚାକିରି ଲାଗି ଜମି ମାମଲାରେ ତେଜସ୍ବୀ ଯାଦବଙ୍କୁ ଜେରା ଲାଗି ସିବିଆଇ ଦେଇଥିଲା ସମନ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।

୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି । ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା । ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।