ଭିସା ଦୁର୍ନୀତି ମାମଲା, କାର୍ତ୍ତି ଚିଦାମ୍ବରମଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଭିସା ଦୁର୍ନୀତି ମାମଲା । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା । ଜେରା କରିବା ଲାଗି ଗତ କିଛି ଦିନ ତଳେ ସମନ ଜାରି କରିଥିଲା ଇଡି । ପଞ୍ଜାବରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୨୦୧୧ରେ ତାଲଓ୍ବାଣ୍ଡି ସାବୋ ପାଓ୍ବାର ଲିମିଟେଡ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ବାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ. ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଅଭିଯୋଗ ହୋଇଥିଲା । ପଞ୍ଜାବରେ ଚୀନର ଏକ କମ୍ପାନି ଜରିଆରେ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ଜଣ ଚୀନ ଶ୍ରମିକଙ୍କ ଲାଗି ପ୍ରୋଜେକ୍ଟ ଭିସା ପୁନଃ ପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଏଫଆଇଆରରେ ଦର୍ଶାଯାଇଥିଲା ।