ଜମି ଦୁର୍ନୀତି ମାମଲା: ଆଜି ହାଜର ହେବାକୁ EDର ସମନ

1 min read

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ନୋଟିସ୍ ପରେ ମଧ୍ୟ ହାଜର ହୋଇନଥିଲେ । ଆଜି ପୁଣି ସମନ ପଠାଇଛି ଇଡି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରୋବର୍ଟ ଭଦ୍ରାଙ୍କୁ ଆଜି ହାଜର ହେବାକୁ ଇଡିର ନୋଟିସ୍ । PMLA ଅଧିନରେ ଇଡି ଏହି ନୋଟିସ୍ ପଠାଇଛି । ତେବେ ୮ ଏପ୍ରିଲରେ ତାଙ୍କୁ ନୋଟିସ ହୋଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଏଣୁ ଆଜି ପୁଣିଥରେ ନୋଟିସ ହୋଇଛି । ରୋବର୍ଟ ଭଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ ହୋଇଛି । ଏଣୁ ପଚରା ଉଚା ପାଇଁ ନୋଟିସ କରାଯାଇଛି । ତେବେ ସେ ଆଜି ପୁଣିଥରେ ହାଜର ହେବେ କି ନାହିଁ ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ହରିୟାଣାର ଶିକୋହାବାଦ ଜମି ଦୁର୍ନୀତି ମାମଲାରେ ଇଡି ଦ୍ବିତୀୟ ନୋଟିସ ପଠାଇଛି । ତେବେ କହି ରଖୁଛୁ କି, ୨୦୦୮ ମସିହାରେ ଓମକାରେଶ୍ବର ପ୍ରପଟିଜ ଠାରୁ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲେ । ମାତ୍ର ପରେ ଭଦ୍ରାଙ୍କ କମ୍ପାନୀ ଏହି ଜମିକୁ DLFକୁ ୫୮ କୋଟି ଟଙ୍କାରେ ବିକ୍ରି କରି ଦେଇଥିଲା । ତେବେ ଏହି ଟଙ୍କାରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅପ୍ରତ୍ୟାଶିତ ଲାଭ କରିଥିବାକୁ ନେଇ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି । ସେପଟେ ଆମ୍ବେଦକର ଜୟନ୍ତୀରେ ଭଦ୍ରା ଦେଇଥିବା ଏକ ପ୍ରତିକ୍ରିୟା ବେଶ ଭାଇରାଲ ହେବାରେ ଲାଗିଛି । ତେବେ ସେ ରାଜନୀତିରେ ପ୍ରବେଶ କରିବେ ବୋଲି କୁହାଯାଉଛି । ତେବେ ଏଭଳି ପ୍ରତିକ୍ରିୟା ପରେ ଆଜି ଇଡିର ନୋଟିସ । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ବେଶ ଚର୍ଚ୍ଚା ହେଉଛି ।