ଭାରତରେ ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ: ଉଦ୍ଧବ ଠାକରେ

1 min read

ମୁମ୍ବାଇ:  ଭାରତର ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ । ଲୋକଙ୍କ ଦ୍ବାରା ଇସିଙ୍କୁ ନିର୍ବାଚିତ କରାଯାଉ ବୋଲି ଦାବି କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ଦଳ ମାନ୍ୟତା ସହ ଧନୁ ଓ ତୀର ଚିହ୍ନ ମିଳିବା ମାମଲାରେ ଏହା କହିଛନ୍ତି ଉଦ୍ଧବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ଉଦ୍ଧବ କହିଛନ୍ତି- କୌଣସି ଏକ ଦଳର ଗୋଟିଏ ଗୋଷ୍ଠୀକୁ ଦଳର ନାମ ଓ ସଙ୍କେତ ସିଧାସଳଖ ଦେବା ଉଦାହରଣ ପୂର୍ବରୁ ବି ଘଟିଛି ।ଗଣତାନ୍ତ୍ରିକ ପ୍ରତିଷ୍ଠାନ ଜରିଆରେ ଗଣତନ୍ତ୍ରକୁ ଧ୍ବଂସ କରିବାରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉଦ୍ଧବ ।

ଆଜି ଯାହା ତାଙ୍କ କ୍ଷେତ୍ରରେ ଘଟିଳା ତାହା ଅନ୍ୟ କ୍ଷେତ୍ରରେ ବି ଘଟିବ । ଯଦି ସେହି ପ୍ରକ୍ରିୟା ଜାରି ରହିବ ତେବେ ୨୦୨୪ପରେ ଦେଶରେ କୌଣସି ଗଣତନ୍ତ୍ର ବା ନିର୍ବାଚନ ବ୍ୟବସ୍ଥା ରହିବ ନାହିଁ ବୋଲି ସେ କହିଛନ୍ତି । ନିଜର ପିଟିସନରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ପ୍ରାର୍ଥନା କରିଛନ୍ତି ଉଦ୍ଧବ । ପୂର୍ବରୁ ସୁପ୍ରିମକୋର୍ଟରେ ବି ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ପଷ୍ଟ ଶୁଣାଣି କରିବା ଲାଗି ଏକ କାଭିଟ ଦାୟର କରିଥିଲେ ଏକନାଥ ସିନ୍ଦେ ।