ରାଜ୍ୟ ବ୍ୟବସାୟୀ ମହାସଂଘର ଟାର୍ଗେଟ, କେନ୍ଦ୍ରର କର୍ପୋରେଟ୍ ପ୍ରୀତି ପାଇଁ ବଢ଼ୁଛି ଖାଇବା ତେଲ ଦର

ଭୁବନେଶ୍ୱର: କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଓ କର୍ପୋରେଟ୍‌ ପ୍ରୀତି ପାଇଁ ବଢ଼ୁଛି ଖାଇବା ତେଲ ଦର । ଏନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ । ଗତ ୨ବର୍ଷ ଧରି ଯେଉଁ ଦେଶରୁ ତେଲ ଆମଦାନୀ କରାଯାଉଥିଲା, ସେଠାରେ ଉତ୍ପାଦନ କମ୍ ଥିଲା । ଦେଶରେ ବାର୍ଷିକ ୨ କୋଟି ଟନ୍‌ ତେଲର ଆବଶ୍ୟକତା ରହିଛି । ଓଡ଼ିଶାରେ ସାଢେ ୫ ଲକ୍ଷ ଟନରୁ ୬ ଲକ୍ଷ ଟନ ଖାଇବା ତେଲ ବର୍ଷକୁ ଆବଶ୍ୟକ ପଡୁଛି । ଦେଶକୁ ଆବଶ୍ୟକ ତେଲରୁ ୭୦ ପ୍ରତିଶତ ବିଦେଶରୁ ଆମଦାନୀ ହୁଏ । ସେଥିରୁ ୫୦ପ୍ରତିଶତ ପାମୋଲିନ ତେଲ ଆମଦାନୀ ହେଉଥିବା ବେଳେ ୨୦ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରାଯାଉଥିଲା ।

ତୈଳ ଆମଦାନୀ ହେଉଥିବା ଦେଶରେ ମରୁଡ଼ି ଓ ଅନ୍ୟ ସମସ୍ୟା ରହିଥିଲା । ତେଣୁ ତେଲ ଦର ବଢିଥିଲା । ସେହିପରି ୟୁକ୍ରେନରୁ ୮୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଆସୁଥିଲା, ଯୁଦ୍ଧ ପାଇଁ ଏହା ବାଧାପ୍ରାପ୍ତ ହୋଇଛି । ତେବେ ଦେଶରେ ସୋରିଷ ଉତ୍ପାଦନ ଦୁଇ ଗୁଣା ହୋଇଛି । ୬୦ଲକ୍ଷ ଟନରୁ ବଢି ୧ କୋଟି ୨୦ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି । ସୂର୍ଯ୍ୟମୁଖୀ ଆମଦାନୀରେ ଅସୁବିଧା ହେଉଥିବାରୁ, ସୋରିଷ ତେଲ ତା’ର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ହେଲେ ଆମଦାନୀକାରୀଙ୍କ ପ୍ରତି ଦାୟିତ୍ୱ ଠିକରେ ତୁଲାଉନି କେନ୍ଦ୍ର । ଫଳରେ କର୍ପୋରେଟ ସଂସ୍ଥା ମନଇଚ୍ଛା ଦର ନିର୍ଦ୍ଧାରଣ କରୁଛନ୍ତି ଓ ଖାଉଟି ହଇରାଣ ହେଉଛନ୍ତି।

ବାଣିଜ୍ୟ ନୀତି କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଥିବାରୁ ଏଥିରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ। କେନ୍ଦ୍ର ହିଁ ନିୟନ୍ତ୍ରଣ କରିପାରିବେ। ତେଲ କେତେ ମାତ୍ରାରେ ଆସୁଛି ଓ ବିକ୍ରି ହେଉଛି, ସେନେଇ କେନ୍ଦ୍ର ଦୈନିକ ତଦାରଖ କରିବା କଥା । ସୂର୍ଯ୍ୟମୁଖୀ ତେଲ ୧୨୫ ଟଙ୍କାରୁ ୧୯୦ରେ ପହଞ୍ଚିଛି । ଲିଟର ପିଛା ୬୦ରୁ ୬୫ ଟଙ୍କା ବଢିଛି । ପାମୋଲିନ ୧୨୦ ଟଙ୍କାରୁ ୨୫ ଟଙ୍କା ବଢି ୧୪୫ରେ ପହଞ୍ଚିଛି । ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆସୁଥିବାରୁ ଦର ବଢିଛି । ହେଲେ ସୋରିଷ ତେଲ ଦର ଆଶାନୁରୂପ କମି ନାହିଁ । ଖୋଲା ବଜାରରେ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେବା କଥା । ହେଲେ ୧୮୦ରୁ ୧୯୦ ଟଙ୍କାର ଅବାସ୍ତବ ଦରରେ ବିକ୍ରି ହେଉଛି । କେନ୍ଦ୍ର ସରକାର ପ୍ରକୃତ ଦର ଆକଳନ କରିବାକୁ ବ୍ୟବସାୟୀ ମହାସଂଘ ମହାସଚିବ କହିଛନ୍ତି ।