IPLରେ ଇତିହାସ ରଚିଲେ ଡ୍ୱେନ ବ୍ରାଭୋ, ନେଲେ ସର୍ବାଧିକ ଓ୍ୱିକେଟ

1 min read

ମୁମ୍ବାଇ: ଆଇପିଏଲ ସିଜିନ-୧୫ରେ ଗୁରୁବାର ଗୋଟିଏ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ରେମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ତେବେ ଏହି ମ୍ୟାଚରେ ପରାଜୟ ସତ୍ତ୍ୱେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ । ଆଇପିଏଲ ଇତିହାସରେ ଏବେ ସବୁଠାରୁ ଅଧିକ ଓ୍ୱିକେଟ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ବ୍ରାଭୋ । ଗୁରୁବାର ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ଡ୍ୱେନ ବ୍ରାଭୋ । ଏହି ଓ୍ୱିକେଟ ସହ ଆଇପିଏଲ ଇତିହାସରେ ବ୍ରାଭୋ ୧୭୧ ଓ୍ୱିକେଟ ଅକ୍ତିଆର କରିଛନ୍ତି ।  ୧୫୩ ମ୍ୟାଚ ଖେଳି ଏହା ସଫଳତା ନିଜ ନାମରେ କରିଛନ୍ତି ବ୍ରାଭୋ ।

ଡ୍ୱେନ ବ୍ରାଭୋଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ ଅକ୍ତିଆର କରିଥିବା ରେକର୍ଡ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗାଙ୍କ ନାମରେ ରହିଥିଲା । ମାଲିଙ୍ଗା ୧୨୨ ମ୍ୟାଚ ଖେଳି ୧୭୦ ଓ୍ୱିକେଟ ଅକ୍ତିଆର କରିଛନ୍ତି । ମାଲିଙ୍ଗା ଗତ ବର୍ଷ ସମସ୍ତ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ଯାହା ଫଳରେ ବ୍ରାଭୋ ଏତି ସହଜରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ମାଲିଙ୍ଗାଙ୍କ ବ୍ୟତୀତ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ସ୍ପିନର ଅମିତ ମିଶ୍ରା । ମିଶ୍ରା ୧୫୪ ମ୍ୟାଚରୁ ୧୬୬ ଓ୍ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୧୬୫ ମ୍ୟାଚରେ ୧୫୭ ଓ୍ୱିକେଟ ଅକ୍ତିଆର କରି ଚତୁର୍ଥ ସ୍ଥାନରେ ରହିଛନ୍ତି ପିୟୁଷ ଚାଓ୍ୱାଲା ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ହରଭଜନ ସିଂ । ହରଭଜନ ୧୬୩ ମ୍ୟାଚରେ ୧୫୦ ଓ୍ୱିକେଟ ଅକ୍ତିଆର କରିଛନ୍ତି ।