ପାଟକୁରାରେ ବିକାଶ କାର୍ଯ୍ୟ ଆରମ୍ଭ; ସିଲ୍ ହେଲା ସ୍କୁଲ ନିକଟରେ ଚାଲୁଥିବା ମଦ ଦୋକାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍‌କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଚାନକ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି ଏହି କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଦପ୍ତରର ୩ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ୩ଟି ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ ଆଦିର ଅନୁଧ୍ୟାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦପ୍ତରର ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ, ଅତିରିକ୍ତ ସଚାବ ରୂପା ରୋଶନ ସାହୁ ଓ ଅତିରିକ୍ତ ସଚିବ ପ୍ରଦିପ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଉଛି । ଖେଳ ପଡିଆ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି ।

ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ସଂକ୍ରନ୍ତରେ ପଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ପାଟ୍ଟକୁରା ନିର୍ବାଚନ ମଣ୍ଡଳୀର ସାନ ଅଢଙ୍ଗ ଗ୍ରାମ ପଞ୍ଚାୟତ ଲୋକମାନେ ଶ୍ରୀ କୁଟ୍ଟେ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ଅନ୍ୟ ସ୍ଥାନରେ ଲାଇସେନ୍ସ ପାଇଥିବା ଏକ ମଦ ଦୋକାନ ବିଦ୍ୟାଳୟ ନିକଟରେ ଚାଲୁଛି । ଏହା ପରେ ତୁରନ୍ତ ଏହି ମଦ ଦୋକାନକୁ ସିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଏହି ନିର୍ବାଚନ ମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତଦଅନୁଯାୟୀ ଆଜି ଏହି ତିନି ବରିଷ୍ଠ ଅଧିକାରୀ ଅଚାନକ ଗସ୍ତ କରିଥିବା ଜଣାପଡିଛି ।

Leave a Reply