କମିଶନରେଟ ପୋଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ: କମିଶନରେଟ ପୋଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ । ମୈତ୍ରୀବିହାର ଥାନା ହାତିଆଶୁଣି ପାଣି ଟାଙ୍କି ନିକଟରେ ବ୍ରାଉନସୁଗର କାରବାର ବେଳେ ମାଡିବସିଲା ସ୍ପେଶାଲ ସ୍କ୍ବାଡ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୨୭୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ୫ ନିଶା ମାଫିଆଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୁନା ସେଠୀ, ରେକା ପଟ୍ଟନାୟକ, ସୁବ୍ରତ ରାଉତ, ସୁବ୍ରତ ପଟ୍ଟନାୟକ ଓ ଟିଙ୍କୁ ମହାନ୍ତ । ସେମାନଙ୍କ ଠାରୁ ଏକ ମାରୁତି ସୁଜୁକି କାର, ଗୋଟିଏ ସ୍କୁଟି, ୪ ଟି ମୋବାଇଲ ଓ ୧୪ ହଜାର ୫ ଶହ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ମୁନା ନାଁରେ ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦକା ଥାନାରେ ୧୭ ଟି ମାମଲା ଥିବା ଜଣାପଡିଛି । ସାଲିଆ ସାହି ଅଞ୍ଚଳରେ ଏହି ଧଳାଜହର କାରବାର ନେଇ ଯୋଜନା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିଶାଦ୍ରବ୍ୟ ଜବତ କରିଥିଲା କମିଶନରେଟ ପୋଲିସ। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।