ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ, ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ଶ୍ରୀମନ୍ଦିରରେ ନୂଆ ନିୟମ । ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିନଥିଲେ ଶ୍ରୀମନ୍ଦିର ମନା । ମହାପ୍ରଭୁଙ୍କ ବିଜେସ୍ଥଳୀ ଶ୍ରୀମନ୍ଦିର ଏକ ପବିତ୍ର ସ୍ଥାନ । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତାପୂର୍ଣ୍ଣ ପୋଷାକ ଆବଶ୍ୟକ । ଏହାଦ୍ବାରା ମନରେ ଓ ପରିବେଶରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେବ । ପୁରୁଷମାନେ ପାରମ୍ପରିକ ପଞ୍ଜାବୀ, ଧୋତି ଏବଂ କୁର୍ତ୍ତା ସହିତ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସିବାସହ ମହିଳା ମାନେ ଶାଢ଼ୀ, ସାଲଓ୍ବାର ଓ କମିଜ୍ ତଥା ଶରୀର ସମ୍ପୂର୍ଣ୍ଣ ଢାଙ୍କି ହେବା ଭଳି ପୋଷାକ ପିନ୍ଧିବାକୁ କୁହାଯାଇଛି । ପୂର୍ବରୁ ଏନେଇ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଇଥିଲା । ବିଭିନ୍ନ ହୋଟେଲ ମାନଙ୍କରେ ମଧ୍ୟ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି ।

ପାରମ୍ପରିକ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ ନିୟମ କରାଯାଇଥିବାରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି । ଭାରତର ଅନେକ ପ୍ରସିଦ୍ଧ ମନ୍ଦିରରେ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ ଲାଗୁ ହୋଇଛି । ଏପଟେ ନୂଆବର୍ଷରେ ଜଗାଦର୍ଶନ ପାଇଁ ପାଇଁ ପୁରୀରେ ଲାଗିଛି ଖଚାଖଚ ଭିଡ଼ । ଶୀତତାପ ନିୟନ୍ତ୍ରିତ ଚଲାପଥରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ତା ମଧ୍ୟରେ ପାନୀୟଜଳ, ଆଲୋକ ସମେତ ବସିବାର ବ୍ୟବସ୍ଥା ରହିଛି । ଶୀତତାପ ନିୟନ୍ତ୍ରିତ ଚଲାପଥ ଦେଇ ସିଧାସଳଖ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।