ସରିଲା ଡ୍ରାଗନ ସ୍ପେସ କ୍ରାପ୍ଟର ଅନଡକିଂ ପ୍ରକ୍ରିୟା, ମହାକାଶରୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ

ନନ୍ଦିଘୋଷ ବ୍ୟୁରୋ: ଆଇଏସଏସରୁ ବାହାରିଲେ ସୁନୀତା ୱିଲାୟମ୍ସ । ତାଙ୍କ ସହିତ ଅନ୍ୟ ୩ ମହାକାଶଚାରୀ ବି ଫେରୁଛନ୍ତି । ସରିଲା ଡ୍ରାଗନ ସ୍ପେସକ୍ରାପ୍ଟର ଅନଡକିଂ ପ୍ରକ୍ରିୟା । ଆଇଏସଏସରୁ ଡ୍ରାଗନର ଅନଡକିଂ ଶେଷ ହୋଇଛି । ସେମାନେ ଡ୍ରାଗନରେ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ପୃଥିବୀ ପୃଷ୍ଠକୁ ଫେରିବେ ମହାକାଶକାରୀ ସୁନୀତା ୱିଲିୟମ୍ସ । ଭାରତୀୟ ସମୟ ବୁଧବାର ରାତି ପ୍ରାୟ ସାଢ଼େ ୩ଟାରେ ଆମେରିକାର ଫ୍ଲୋରିଡ଼ାରେ ଅବତରଣ କରିବେ । ସୁନୀତାଙ୍କ ସହିତ ଆଉ ୩ ଜଣ ମହାକାଶକାରୀ ବଚ୍ ୱିଲମୋର, ଆମେରିକାର ନିକ୍ ହେଗ୍ ଓ ରୁଷିଆର ଆଲେକଜାଣ୍ଡାର ଗୋରବୁନୋଭ ମଧ୍ୟ ଫେରୁଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଇଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କଙ୍କୁ ଆଇଏସଏସରୁ ଧନ୍ୟବାଦ ଦେଇଛନ୍ତି ସୁନୀତା ୱିଲିୟମ୍ସ ।
ମହାକାଶଚାରୀଙ୍କୁ ଆଣିବାକୁ ଯାଇଛି ସ୍ପେସ୍ ଏକ୍ସର ଡ୍ରାଗନ । ପ୍ରାୟ ୯ ମାସ ହେଲା ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି ସୁନୀତା ଏବଂ ୱିଲମୋର । ଗତ ବର୍ଷ ଜୁନ ୫ ତାରିଖରେ ସେମାନେ ଆଇଏସଏଓକୁ ଯାଇଥିଲେ। ଏକ ମରାମତି କାମ କରିବାକୁ ଯାଇଥିଲେ ସୁନୀତା ଓ ବଚ୍ । କିଛି ଦିନରେ କାମ ଶେଷ କରି ସେମାନେ ବୋଇଂ ଷ୍ଟାରଲାଇନରରେ ଫେରିବାର ଥିଲା । କିନ୍ତୁ ଏହି ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ସେମାନେ ଫେରି ପାରି ନଥିଲେ । ଏପରିକି ସେମାନଙ୍କ ଫେରିବାକୁ ନେଇ ବହୁତ ଅନିଶ୍ଚିତତା ଦେଖା ଦେଇଥିଲା । ପୃଥିବୀ ପୃଷ୍ଠରୁ ଆଉ ଏକ ମହାକାଶଯାନ ପଠାଇବାର ବ୍ୟବସ୍ଥା ହୋଇଥିଲା । ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସଂସ୍ଥା ପକ୍ଷରୁ ଡ୍ରାଗନକୁ ପଠା ଯାଇଛି, ଯାହାକି ସେଠାରେ ପହଞ୍ଚିଛି । ଏହି ଡ୍ରାଗନରେ ଫେରୁଛନ୍ତି ସୁନୀତା ଓ ତାଙ୍କର ସାଥୀ ମହାକାଶଚାରୀ । ଜଣେ ମହାକାଶଚାରୀ ଆଇଏସଏସରେ ୬ ମାସରୁ ଅଧିକ ଦିନ ରହନ୍ତି ନାହିଁ । କିନ୍ତୁ ସୁନୀତା ଏବଂ ବଚଙ୍କୁ ଗତ ଜୁନରୁ ଏପର୍ଯ୍ୟନ୍ତ ୯ ମାସ ରହିବାକୁ ପଡ଼ିଛି । ରୁଷିଆର କସମୋନଟ୍ ଭାଲେରି ପୋଲୟାକୋଭ୍ ସର୍ବାଧିକ ୪୩୭ ଦିନ ମହାକାଶରେ ରହିଥିଲେ ।