ମହୁରି ସମ୍ମାନ ପାଇବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା, କବି ରଞ୍ଜନ କୁମାର ଦାସ

ଭୁବନେଶ୍ୱର: ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଘୋଷଣା କରାଯାଇଛି ମହୁରି ସମ୍ମାନ । ୨୦୨୨ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ତଥା ଗୀତିକାର ରଞ୍ଜନ କୁମାର ଦାସ । ଏବଂ ୨୦୨୧ ମସିହା ସମ୍ମାନିତ ହେବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଜଣେ ସୁସାହିତ୍ୟିକ ଭାବେ ବେଶ ପରିଚିତ ରଞ୍ଜନ କୁମାର ଦାସ । କବିତା ଲେଖିବାରେ ତାଙ୍କର ବେଶ କୃତି ରହିଥିବାବେଳେ ଓଡ଼ିଆ କଥାଚିତ୍ରରେ କାହାଣୀ, ସଂଳାପ ଓ ଗୀତ ମଧ୍ୟ ରଚନା କରିଛନ୍ତି । ବୃତ୍ତିରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେଉଛନ୍ତି ରଞ୍ଜନ । ସେ ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ୨୦୨୧ ମସିହା ପାଇଁ ମହୁରି ସମ୍ମାନ ପାଇବେ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ଗାୟତ୍ରୀବାଳା ସାମ୍ବାଦିକତାକୁ ନିଜର ବୃତ୍ତିଭାବରେ ଗ୍ରହଣ କରିଛନ୍ତି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଗୋଟିଏ ପ୍ରବନ୍ଧ ପୁସ୍ତକ ଏବଂ ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି ।

୨୦୧୧ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି ଡକ୍ଟର ପଣ୍ଡା । ୨୦୧୫ରେ ଅତିଥି ଲେଖକ ଭାବରେ ରାଷ୍ଟ୍ରପତି ଭବନରେ ସେ ୧୭ ଦିନ ଅବସ୍ଥାନ କରିଥିଲେ । ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓ ଏକମାତ୍ର ଓଡିଆ । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ ।