ମମତା ମହାନ୍ତ ନା ଜଗନ୍ନାଥ ପ୍ରଧାନ; ବିଜେପିର କିଏ ଅସଲି ରାଜ୍ୟସଭା ପ୍ରାର୍ଥୀ ?

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନରେ ବିଜେପି କାହାକୁ ସମର୍ଥନ କରିବ ତାକୁ ନେଇ ସସପେନ୍ସ । ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଛି ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସ୍ୱାଧୀନ ନାମାନଙ୍କନରେ ବି ବିଜେପି ବିଧାୟକ ସମର୍ଥକ ଅଛନ୍ତି । କିଏ ଅସଲ ପ୍ରାର୍ଥୀ ତାକୁ ନେଇ ଦ୍ବନ୍ଦ୍ଵରେ ବିଜେପି ବିଧାୟକ । ବିଜେପିର ଡବଲ ରୋଲକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଦ୍ଵିତୀୟ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସତ ସାହସ ଦେଖାଇବାକୁ ବିଜେପିକୁ ପ୍ରଶ୍ନ କରିଛି ବିଜେଡି । ମନ୍ତ୍ରୀମାନେ ଯେପରି ଅନ୍ୟ ବିଭାଗକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ସେହିପରି ପ୍ରାର୍ଥୀ ଚୟନକୁ ନେଇ ବିଜେପିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛି କଂଗ୍ରେସ ।

ବିଜେପିର ଡମି ପ୍ରାର୍ଥୀ କିଏ ? ମମତା ନା ଜଗନ୍ନାଥ ? ଦ୍ୱନ୍ଦ୍ୱ ଏଥିପାଇଁ ଉପୁଜୁଛି କାରଣ ଯଦି ବିଜେପିର ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ମମତା, ହେଲେ ସ୍ୱାଧୀନ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନରେ ବି ଅଛି ୧୦ ବିଜେପି ବିଧାୟକଙ୍କ ଦସ୍ତଖତ । ଯେଉଁଠି ମମତା ବିଜେଡିରୁ ଛାଡ଼ି ଆସିଛନ୍ତି ସେଠାରେ ଜଗନ୍ନାଥ ହେଉଛନ୍ତି ମୂଳ ବିଜେପି ନେତା । ମୂଳ ବିଜେପି ନେତାଙ୍କୁ ଦଳ ଡମି କରିବ ନା ମମତାଙ୍କୁ କ୍ରସ ଭୋଟିଂରେ ପରାସ୍ତ କରିବାକୁ ଏହା ବିଜେପିର ଷଡଯନ୍ତ୍ର ? ବିଜେପିର ନିଜ ପ୍ରାର୍ଥୀଙ୍କ ଉପରେ ଭରସା ନଥିବା ନେଇ ବିଜେଡି ଅନୁଭବ କରିଛି । ଯେଉଁ ବିଧାୟକଙ୍କ ସମର୍ଥନରେ ଜଗନ୍ନାଥ ନାମାଙ୍କନ ଭରିଲେ ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ? ଦଳୀୟ ଶୃଙ୍ଖଳା ଭଙ୍ଗ ନେଇ ବିଜେପି ଅନୁଭବ କରୁଥିଲେ ଜଗନ୍ନାଥ ଓ ତାଙ୍କ ସମର୍ଥକ ୧୦ ବିଜେପି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ ଦେଇଛି ବିଜେଡି । ହେଲେ ଏ ଯାଏଁ ସ୍ପଷ୍ଟ ହୋଇନି ଦ୍ଵିତୀୟ ପ୍ରାର୍ଥୀ କାହିଁକି ନାମାଙ୍କନ କଲେ । ଏଥିରୁ ବିଜେପିରେ ବିଶ୍ୱାସ ଓ ଭରସାର ଅଭାବ ନେଇ ଇସାରା କରୁଥିବା ବିଜେଡି ଅଭିଯୋଗ କରିଛି । ସେପଟେ ଆଜି ପୁଣି ଥରେ ବିଧାନସଭା ଆସିଥିଲେ ଜଗନ୍ନାଥ । ହୁଏତ ଜଗନ୍ନାଥ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରଚାର କରୁଥିବା ନେଇ ଅନୁମାନ କରାଯାଉଛି । କାରଣ ଜଗନ୍ନାଥ ଏହାକୁ ନୂଆ ସରକାରଙ୍କ ନୂଆ ଷ୍ଟ୍ରାଟେଜି ବୋଲି କହିଛନ୍ତି । ହେଲେ ନିଜେ ଲଢ଼ିବେ ନା ଓହରିବେ, ତାହା ସ୍ପଷ୍ଟ କରି ନାହାନ୍ତି ।

କେବଳ ବିଜେଡି କି ରାଜ୍ୟବାସୀ ନୁହଁନ୍ତି, ବିଜେପି ବିଧାୟକ ମଧ୍ୟ ମମତା ଓ ଜଗନ୍ନାଥଙ୍କୁ ନେଇ ଦ୍ୱନ୍ଦ୍ୱରେ । ସେମାନଙ୍କ ଭିତରୁ କିଏ ଅସଲ କିଏ ଡମି ତାହା ବିଜେପି ବିଧାୟକ ଜାଣି ପାରୁନାହାନ୍ତି । ଜଗନ୍ନାଥଙ୍କ ସମର୍ଥକ ଥିବା ବିଜେପି ବିଧାୟକ ଲକ୍ଷ୍ମଣ ବାଗ ବି ଦୁଇ ବିଜେପି ନେତାଙ୍କ ପ୍ରାର୍ଥିତ୍ବକୁ ନେଇ ଠିକ ଭାବେ କିଛି ବୁଝି ପାରି ନଥିବା କହିଛନ୍ତି ।

ବିଜେପିର ଦୁଇ ନେତାଙ୍କ ନାମାନଙ୍କନକୁ ଦଳୀୟ କନ୍ଦଳର ଆଖ୍ୟା ଦେଇଛି କଂଗ୍ରେସ । ମୂଳ ବିଜେପି ନେତା ଆମଦାନୀ ହୋଇଥିବା ନେତାଙ୍କୁ ବରଦାସ୍ତ କରିପାରୁ ନଥିବା କଂଗ୍ରେସ ମତ ଦେଇଛି । ଯେପରି ମନ୍ତ୍ରୀମାନଙ୍କ ବିବୃତି ଅଣବିଭାଗୀୟ ସେହିପରି ବିଜେପି ନେତାଙ୍କ ଭିତରେ ତାଳମେଳର ଅଭାବ ଥିବା କଂଗ୍ରେସ କହିଛି ।

ମମତା ମହାନ୍ତ ବାହାରୁ ଆସିଲେ ଓ ଟିକେଟ ପାଇଲେ । ହେଲେ ଦୀର୍ଘ ବର୍ଷ ପରେ ଶାସନକୁ ଆସିଥିବା ବିଜେପିର ନେତା ଓ କର୍ମୀମାନେ ପଦପଦବୀ ଆଶାରେ ଅଛନ୍ତି । ଯଦି ମମତାଙ୍କୁ ଷଡଯନ୍ତ୍ର କରି ବିଜେପି ହରାଏ, କେଉଁ କୂଳର ରହିବେନି ମମତା । ସେପଟେ ଯଦି ଜଗନ୍ନାଥଙ୍କୁ ବିଜେପି ଡମି ପ୍ରାର୍ଥୀ କରେ ବା ସେ ନିର୍ବାଚନରୁ ଓହରନ୍ତି, ତାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ହେବ ।  ବାହାରୁ ଆସିଥିବା ନେତାଙ୍କୁ ପ୍ରାଥମିକତା ଓ ଦଳୀୟ ନେତାଙ୍କୁ ଅଲୋଡ଼ା କରିବା ସଂଗଠନ ଉପରେ ନକରାତ୍ମକ ପ୍ରଭାବ ପକାଇବା ସମ୍ଭାବନା ରହିଛି ।