ଡବଲ ଇଞ୍ଜିନ ସରକାରରେ ଘୋଷଣା ବେଶୀ, ମିଳୁଛି କମ୍
1 min read
ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରଠାରୁ ଅଧିକ ଅର୍ଥ ଆସିବ କଣ ରାଜ୍ୟକୁ ମିଳୁଛି କମ୍ ଆବଣ୍ଟନ ଓ ଅନୁଦାନ । ୨୦୨୪-୨୫ ଆର୍ଥିକ ବର୍ଷର ଜାନୁଆରୀ ମାସରେ କେନ୍ଦ୍ର ଅନୁଦାନ ୧୭ ପ୍ରତିଶତ କମ୍ ମିଳିଛି । ଖୋଦ ଅର୍ଥ ବିଭାଗର ତଥ୍ୟ କହୁଛି, ପୂର୍ବ ନବୀନ ସରକାର ସମୟରେ ଯାହା ମିଳିଥିଲା ତାଠୁ କମ୍ ମିଳିଛି । ରାଜ୍ୟ ଆୟ କମୁଛି । ଋଣଭାର ବଢୁଛି । ସେପଟେ କେନ୍ଦ୍ର ଦେଉଛି କମ୍ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଆର୍ଥିକ ବିଶେଷଜ୍ଞ । ଅଭିଯୋଗ କରିଛନ୍ତି ଏପରି ଚାଲିଲେ ଓଡ଼ିଶା ପୁଣି ଥରେ ଆର୍ଥିକ ଦୁଃସ୍ଥିତି ଆଡ଼କୁ ଚାଲିଯିବ ।
କ୍ଷମତା ବଦଳିଲା ହେଲେ ବଦଳିଲାନି କେନ୍ଦ୍ରର ଆଭିମୁଖ୍ଯ । କମିବାରେ ଲାଗିଛି କେନ୍ଦ୍ରୀୟ ଅନୁଦାନ । ବିଜେଡି ଅମଳ ଅପେକ୍ଷା ଡବଲ ଇଞ୍ଜିନରେ ଅଧିକ ନିରାଶା ।.. ..ବିଜେପିର ଦାବିଥିଲା ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ କେନ୍ଦ୍ରଠାରୁ ଅଧିକ ଅର୍ଥ ଆସିବ । କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷର ହିସାବ ଅଲଗା କାହାଣୀ ବଖାଣୁଛି । ଅଙ୍କ ସବୁ ଗଡ଼ବଡ଼ । ଖୋଦ ଅର୍ଥ ବିଭାଗ ଉପଲବ୍ଧ କରିଥିବା ଆୟ ତାଲିକାରୁ ଜଣାପଡ଼ିଛି, ଗତ ଆର୍ଥିକ ବର୍ଷରେ କେନ୍ଦ୍ର ଅନୁଦାନ ବାବଦରେ ବଜେଟ୍ ଅର୍ଥଠାରୁ କମ ମିଳିଛି । ୨୦୨୪-୨୫ ବର୍ଷରେ କେନ୍ଦ୍ର ଅନୁଦାନ ବାବଦରେ ରାଜ୍ୟକୁ ମିଳିବା କଥା ୩୭ ହଜାର ୭୬୮ କୋଟି ୨୪ ଲକ୍ଷ ଟଙ୍କା । ହେଲେ ଗତ ଜାନୁଆରୀ ସୁଦ୍ଧା ମିଳିଛି ମାତ୍ର ୧୨ ହଜାର ୯୯୮ କୋଟି ୯ ଲକ୍ଷ ଟଙ୍କା । ଯାହାକି ୧୬.୯୧ ପ୍ରତିଶତ କମ୍ । ଅଥଚ ସମାନ ସମୟରେ ପୂର୍ବବର୍ଷ ନବୀନ ସରକାରଙ୍କ ସମୟରେ ଆସିଥିଲା ଅଧିକ ଅର୍ଥ । ୨୦୨୩-୨୪ ଆର୍ଥିକ ବର୍ଷ ୩୨ ହଜାର ୭୪୮ କୋଟି ୮୨ ଲକ୍ଷରୁ ମିଳିଥିଲା ୧୫ ହଜାର ୬୪୩ କୋଟି ୬୮ ଲକ୍ଷ ଟଙ୍କା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଙ୍ଗଲ ଇଞ୍ଜିନ ହୋଇ କେନ୍ଦ୍ରଠାରୁ ଅଧିକ ଅର୍ଥ ଟାଣିପାରୁଥିଲେ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଡବଲ ଇଞ୍ଜିନ ହୋଇ ଅର୍ଥ କାହିଁକି ଆସୁନି ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ଅଭିଯୋଗ କରିଛନ୍ତି ଗୋଟିଏ ପଟେ ରାଜ୍ୟର ରାଜସ୍ବ ଆୟ କମୁଛି । ଋଣଭାର ବଢୁଛି । ବୋଝ ଉପରେ ନଳିତା ବିଡ଼ା ଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ଉପରେ ଅର୍ଥ ବୋଝ ଲଦାଚାଲିଛି । ଏପରି ଜାରି ରହିଲେ ରାଜ୍ୟ ପୁଣି ଥରେ ନିଅଣ୍ଟିଆ ସ୍ଥିତିକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ବଜେଟ୍ ଆକାର ବଢୁଛି । ହେଲେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିନି । ଓଡ଼ିଶାଠାରୁ ଛୋଟ ରାଜ୍ୟମାନେ କମ୍ ପରିମାଣର ବାର୍ଷିକ ବଜେଟ୍ କରି ରାଜ୍ୟ ଘରୋଇ ଉତ୍ପାଦ ଅଧିକ ଲକ୍ଷ୍ୟ ରଖୁଛନ୍ତି । କିନ୍ତୁ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇ ରାଜ୍ୟ ଘରୋଇ ଉତ୍ପାଦ ଲକ୍ଷ୍ୟ କମ ରଖିଛି । ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଭିତ୍ତିଭୂମି ବିକାଶର ସୁଫଳ ଏବର ସରକାର ଅମଳ କରୁଛନ୍ତି । ୧୦ ମାସର ସରକାରରେ ରାଜ୍ୟର ଋଣବୋଝ ଯେତିକି ବଢିଲାଣି ବିଗତ ସରକାରରେ ଏତେ ପରିମାଣର ହୋଇନଥିଲା । ୨୦୩୬ ବେଳକୁ ଓଡ଼ିଶା ହେବ ୫୦୦ ବିଲିୟନ ଡଲାର ଅର୍ଥନୀତି । କିନ୍ତୁ ରାଜସ୍ବ ଆୟର ଗତି ଯଦି ଏପରି ମନ୍ଥର ରହିବ ତାହେଲେ ଏହି ଲକ୍ଷ୍ୟ ହାସଲ କେବଳ ସ୍ଲୋଗାନ୍ ହୋଇ ରହିଯିବ ।