ଡଟ୍ ଫେଷ୍ଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶୀତୁଆ ରାଜଧାନୀରେ ଡଟ ଫେଷ୍ଟର ମଜା । ଭୁବନେଶ୍ବରରେ ଡଟ ଫେଷ୍ଟ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ପାଇଁ ଉତ୍ସବମୁଖର ହୋଇଛି ଓଡ଼ିଶା । ମନ୍ଦିରମାଳିନୀ ଭୁବନେଶ୍ବର ଆଜି ସାରା ବିଶ୍ବରେ ଚର୍ଚ୍ଚାର ପରିସର ପାଲଟିଛି । ଓଡ଼ିଶାର ସଂସ୍କୃତି ଭାରତରେ ସର୍ବାଗ୍ରେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡଟ ଫେଷ୍ଟର ଉଦଘାଟନ ପରେ ଆହୁରି ଉତ୍ସବ ମୁଖର ହୋଇଛି ରାଜଧାନୀ ।

ଦୁଲୁକୁଛି ପ୍ରଦର୍ଶନୀ ପଡ଼ିଆ । ଖାଦ୍ୟର ସମ୍ଭାର ସାଙ୍ଗକୁ ମନୋରଞ୍ଜନର ଭରପୁର ଖୋରାକ୍ । ଏକାମ୍ର ହାଟରେ ଶତାଧିକ ଫୁଡ଼ ଷ୍ଟଲ ସହ ମିଶନ ଶକ୍ତି, ହସ୍ତତନ୍ତ, ହସ୍ତଶିଳ୍ପ, ଓଡ଼ିଆଙ୍କ ନିଜସ୍ବ ପ୍ରଡ଼କ୍ଟ ପ୍ରଦର୍ଶିତ ହୋଇଛି । ଏହା ସହିତ ଚାଲିଛି ନାଇଟ ମାର୍କେଟ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି ଦର୍ଶକ । ବଲିଉଡ ଓ ଓଲିଉଡ କଳାକାରଙ୍କ ନାଚଗୀତରେ ଝୁମୁଛନ୍ତି ରାଜଧାନିବାସୀ ।

ବଲିଉଡ଼ର ଦିଶା ପଟନୀ, ବ୍ଲାକ ସ୍ବାନ ଗ୍ରୁପ, ଗୁରୁ ରାନ୍ଧଓ୍ବା, ପ୍ରିୟା ମାଲିକ, ନୀତି ମୋହନ, ଦିବ୍ୟ କୁମାର, ସୁନୀଲ ଗ୍ରୋଭର, ଶିଳ୍ପା ରାଓ, ଉଦିତ ନାରାୟଣ, ଅଲକା ୟାଗ୍ନିକ, ସୁଖଓ୍ବିନ୍ଦର ସିଂହ,ଇଣ୍ଡିଆଲ ଆଇଡ଼ଲ ଫେମ ପଓ୍ବନଦୀପ ଓ ଅରୁଣିତା ରାଜଧାନୀବାସୀଙ୍କ ମନ ମୋହୁଛନ୍ତି । ଓଡ଼ିଶାର ସୁନାମଧନ୍ୟ ଋତୁରାଜ,ବିଗ ଡ଼ିଲ୍ ରାପର, ସ୍ନିତି ମିଶ୍ର, ଲିସା ମିଶ୍ର, ଅନନ୍ୟା ନନ୍ଦ ଭଳି କଳାକାର ମହାମଞ୍ଚରେ କଳାର ପ୍ରଦର୍ଶନ କରୁଛନ୍ତି ।