ଅପିଲ୍ କଲେ ମୁଖ୍ୟ ଶାସନ ସଚିବ, ଆନ୍ଦୋଳନ ବନ୍ଦ କଲେ ଡ୍ରାଇଭର

1 min read

ଭୁବନେଶ୍ୱର: ଡ୍ରାଇଭର ମହାସଙ୍ଘର ଆନ୍ଦୋଳନକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅପିଲ । ଅପିଲ ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ  ।  ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।

ଏନେଇ ଡ୍ରାଇଭର ମହାସଙ୍ଘର ଆବାହକଙ୍କୁ ଲିଖିତ ଆକାରରେ ଦିଆଯାଇଛି । ଆନ୍ଦୋଳନରୁ ଓହରିବା ଲାଗି ମଧ୍ୟ ଆନ୍ଦୋଳନକାରୀ ପ୍ରତିଶ୍ରୁତି ଦେଇଥିଲେ । ପିଲାଙ୍କ ମାଟ୍ରିକ ପରୀକ୍ଷା ବେଳେ ଏହି ଆନ୍ଦୋଳନ ହୋଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ସେମାନେ ପ୍ରତିଶ୍ରୁତି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା । ଏହାସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ବାଧାପ୍ରାପ୍ତ ହୋଇଛି । ଦେଶର ମାତ୍ର ୩ଟି ରାଜ୍ୟର ସରକାର ଡ୍ରାଇଭରମାନଙ୍କ କିଛି ଦାବି ପୂରଣ କରିଛନ୍ତି । ତାହାକୁ ଅନୁଧ୍ୟାନ କରି ୩ମାସ ମଧ୍ୟରେ ସମାଧାନ ଲାଗି ଚେଷ୍ଟା କରାଯିବ । ଏହାସତ୍ତ୍ବେ ସେମାନେ ଆନ୍ଦୋଳନକୁ ଗଲେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଅଗ୍ରହଣୀୟ । ଧନସମ୍ପତ୍ତି ନଷ୍ଟ କରିବା, କାହାରିକୁ ଆଘାତ କରିବା ଆଦୌ ଗ୍ରହଣୀୟ ନୁହେଁ । ଆନ୍ଦୋଳନରେ ବି ଅଣଡ୍ରାଇଭର ସାମିଲ ହୋଇଥିବା ସୂଚନା ମିଳୁଛି । ସେହିପରି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି- ଡ୍ରାଇଭରଙ୍କ ଆନ୍ଦୋଳନର କୌଣସି ଯଥାର୍ଥ ନାହିଁ । ଶାନ୍ତ ରହିବା ଲାଗି ପ୍ରତିଶ୍ରୁତି ଦେଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଭର ପ୍ରତିଶ୍ରୁତି ପରେ ବି ସେମାନଙ୍କ ଆନ୍ଦୋଳନ ବେଆଇନ । କେତେକ ସ୍ଥାନରେ ପୋଲିସକୁ ବି ଆକ୍ରମଣ କରିଥିଲେ । ଆନ୍ଦୋଳନ ନାଁରେ ଅସାମାଜିକ ବ୍ୟକ୍ତି ସାମିଲ ହେଉଥିବାରୁ ଆଇନ ଅନୁଯାୟୀ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ ବୋଲି କହିଛନ୍ତି ପୋଲିସ ଡିଜି ।