୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାସିଂଟନ: ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲଡ ଟ୍ରମ୍ପ । ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ସର୍ବଶକ୍ତିମାନ ବ୍ୟକ୍ତି । ସେହିପରି ଉପରାଷ୍ଟ୍ରପତି ଭାବେ ଜେ.ଡି ଭାନ୍ସ ଶପଥ ନେଇଛନ୍ତି । ଶପଥ ସମାରୋହରେ ସାମିଲ ହୋଇଥିଲେ ଟ୍ରମ୍ପଙ୍କ ସମର୍ଥକ ଓ ଶୁଭେଚ୍ଛୁ ।

ଶପଥ ନେବା ପରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ,  ଆମେରିକା ପାଇଁ ଆସୁଛି ସୁବର୍ଣ୍ଣ ଦିନ। ଦେଶକୁ ଆଗେଇ ନେବା ସହ ସାରା ବିଶ୍ବରେ ପୁଣି ଥରେ ଆମେରିକାକୁ ଆଗରେ ରଖାଯିବ । ଉଦବୋଧନ ଆରମ୍ଭରୁ ବାଇଡେନଙ୍କୁ କଡ଼ା ସମାଲୋଚନା କରିଥିଲେ ଟ୍ରମ୍ପ । ବାଇଡେନଙ୍କ ଶାସନ କାଳରେ ଆଇନର ଅପବ୍ୟବହାର ହୋଇଛି ବୋଲି କହିଛନ୍ତି ଟ୍ରମ୍ପ ।

ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ରୋକାଯିବ। ଡ୍ରଗ୍ସ କାରବାରକୁ ରୋକାଯିବ ସହ ଦରଦାମ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ । ଶପଥ ନେବା ପରେ ମେକ୍ସିକୋ ସୀମାରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ । ଏହାସହ ମେକ୍ସିକୋ ସୀମାକୁ ଅଧିକ ସୈନ୍ୟ ପଠାଯିବା ସାଙ୍ଗକୁ ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରାଯିବ । ଅନୁପ୍ରବେଶ ଉପରେ କଡ଼ା ନଜର ରହିବ । ଏହାସହ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ପ୍ରକୃତ ଠିକଣାରେ ଛଡ଼ାଯିବ ବୋଲି କହିଛନ୍ତି । ଆମେରିକାରେ କାହାର ସ୍ବରକୁ ଚାପିବାକୁ ଦିଆଯିବ ନାହିଁ । ସମସ୍ତଙ୍କୁ ନ୍ୟାୟ ମିଳିବ । ଆମେରିକାକୁ ପୁଣି ଧନୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବୁ ବୋଲି ଟ୍ରମ୍ପ କହିଛନ୍ତି ।

ଉତ୍ସବରେ ବିଶ୍ବର ୨୩ଟି ରାଷ୍ଟ୍ରର ପ୍ରାୟ ୭ ହଜାର ୫୦୦ ଅତିଥି ସାମିଲ ହୋଇଥିଲେ । ଭାରତ ତରଫରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ମୁକେଶ ଅମ୍ଵାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ଵାନୀ ମଧ୍ୟ ଯୋଗ ଦେଇଥିଲେ ।