ବିଦା ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ସିନେଟ୍‌ ନିଷ୍ପତ୍ତିକୁ ଅପେକ୍ଷା

ୱାସିଂଟନ: କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଦା ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂସଦରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ ହୋଇ ଶେଷ ହୋଇଛି ଭୋଟିଂ । ଏବେ କେବଳ ସିନେଟ୍‌ ନିଷ୍ପତ୍ତିକୁ ଅପେକ୍ଷା । ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରି 232 ସଦସ୍ୟ ମତ ଦେଇଥିବା ବେଳେ ସେଥିରେ ରିପବ୍ଲିକାନ ପର୍ଟିର ୧୦ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ତେବେ ୧୯୭ ସଦସ୍ୟ ଏହି ମହାଭିଯୋଗ ପ୍ରସ୍ତାବକୁ ବିରୋଧ କରିଥିବା ଜଣାପଡିଛି ।

ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ଙ୍କ ଭୋଟିଂ ପରେ ମହାଭିଯୋଗ ପ୍ରସ୍ତାବ ଉପରେ ମୋହର ଲାଗିଛି । ହେଲେ ସିନେଟ ଉପରେ ରହିଛି ସମସ୍ତଙ୍କ ନଜର । ଯଦି ସିନେଟରେ ଟ୍ରମ୍ପଙ୍କ ବିରୋଧରେ ବହୁମତ ସାବ୍ୟସ୍ତ ହୁଏ, ତାହେଲେ କାର୍ଯ୍ୟକାଳ ପୂର୍ବରୁ ହି ତାଙ୍କୁ ପଦ ଛାଡ଼ିବାକୁ ହେବ । ମୁଣ୍ଡ ଉପରେ ମହାଭିଯୋଗ ଖଣ୍ଡା ଝୁଲୁଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଇନ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଛନ୍ତି ଟ୍ରମ୍ପ ।

ସେପଟେ ଟ୍ରମ୍ପ କହିଛନ୍ତି, ଯେଉଁମାନେ ସଂସଦ ଭବନରେ ହିଂସାରେ ସାମିଲ ଥିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂସଦ ଭବନ ପରିସରରେ ହିଂସା ଯୋଗୁଁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଉସକାଇଥିବା ନେଇ ଟ୍ରମ୍ପଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡ଼ିଛି । ଆଇନର ଉର୍ଦ୍ଧ୍ୱରୁ କେହି ବି ନୁହନ୍ତି ବୋଲି ସ୍ପିକର ନେନ୍ସି ପେଲୋସୀ କହିଛନ୍ତି । ସେପଟେ ସଂସଦ ଭବନ ପରିସରରେ ହିଂସାକୁ ଉସକାଇଥିବା ନେଇ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ. ବିଡେନ୍ ।

Leave a Reply