ଡୋଲୋ-୬୫୦ ପ୍ରେସ୍କ୍ରାଇବ୍ ପାଇଁ ହଜାରେ କୋଟିର ଉପହାର

1 min read

ନୂଆଦିଲ୍ଲୀ: ଡୋଲୋ -୬୫୦ ଲାଗି ହଜାରେ କୋଟି ଟଙ୍କାର ମାଗଣା ଉପହାର । କୋଭିଡ ସମୟରେ ଦେଶରେ ପାରାସିଟାମଲ ବଟିକା ଡୋଲୋ-୬୫୦ର ଆଶାତୀତ ବିକ୍ରିକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର । ସାମାନ୍ୟ ଜ୍ୱର ଆସୁଥିଲେ ଡାକ୍ତରମାନେ ଆଖିବୁଜି ଲେଖୁଥିଲେ ଡୋଲୋ-୬୫୦ । ଏହାର ବିକ୍ରି ଅତୀତର ସମସ୍ତ ରେକର୍ଡ ବି ଭଙ୍ଗ କରିଥିଲା । ରୋଗୀଙ୍କୁ ଡୋଲୋ-୬୫୦ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ ୧ ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଥିଲା ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ଯ୍ୟଜନକ  ତଥ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛି ଫେଡେରେସନ ଅଫ୍ ମେଡିକାଲ ଆଣ୍ଡ ସେଲସ ରିପ୍ରେଜେଣ୍ଟେଟିଭ ଆସୋସିଏସନ ଅଫ୍ ଇଣ୍ଡିଆ ।

ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏଏସ ବୋପାନ୍ନାଙ୍କୁ ଗଠିତ ଖଣ୍ଡପୀଠ ନିକଟରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବା ଲାଗି କେନ୍ଦ୍ରକୁ ନୋଟିସ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଫେଡେରେସନର ଏହି ବୟାନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼ । କହିଥିଲେ- ଏପରିକି ମୁଁ ମଧ୍ୟ କୋଭିଡ ସମୟରେ ଏହି ମେଡିସିନ ଖାଇଥିଲି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ପୂର୍ବରୁ ବେଙ୍ଗାଲୁରସ୍ଥିତ ମାଇକ୍ରୋ ଲ୍ୟାବସ ଲିମିଟେଡର ୩୬ଟି କାର୍ଯ୍ୟାଳୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ ବା ସିବିଡିଟି ପକ୍ଷରୁ ରେଡ କରାଯାଇଥିଲା । କମ୍ପାନି ପକ୍ଷରୁ ୩୦୦ କୋଟି ଟଙ୍କାର କର ଠକେଇ ନେଇ ସିବିଡିଟି ଅଭିଯୋଗ କରିଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୯କୁ ଧାର୍ଯ୍ୟ କରାଯାଇଛି ।