ଇଚ୍ଛାଥିଲା ଜୀବନରେ ଅନେକ କିଛି କରିବା ପାଇଁ, ହେଲେ ପଛରୁ ଟାଣି ଧରିଲା ଅସହାୟତା

ଗଞ୍ଜାମ: ପାଦ ଆଗେଇ ଚାଲିଥିଲା ଭବିଷ୍ୟତ ଗଢ଼ିବା ପାଇଁ । ହେଲେ ଭବିଷ୍ୟତ ଗଢ଼ାର ଅଧା ରାସ୍ତାରେ ପଛରୁ ଟାଣି ଧରିଲା ଗରିବି ଓ ଅସହାୟତା । ଲଦି ହୋଇପଡ଼ିଲା ମେଧାବୀ ଛାତ୍ରଙ୍କ ମୁଣ୍ଡରେ ପରିବାର ବୋଝ । ଆଉ ବୋଝର ଓଜନରେ ଦବିହୋଇଗଲା ଆଗେଇଯିବାର ସ୍ୱପ୍ନ । ମାଆ ଓ ଭାଇଙ୍କ ଚିକିତ୍ସା ପାଇଁ ଅଧାରାସ୍ତାରେ ଅଟକି ଗଲା ପାଠ ପଢା । ଏବେ ଖାଲି ସମସ୍ୟାରୁ ମୁକୁଳିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା ।

ଏ ଦୁଃଖ ହେଉଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୂଆଗଡ଼ ଗାଁର ରବୀନ୍ଦ୍ର ବେହେରାଙ୍କ । ସବୁକିଛି ଠିକ୍‌ ଚାଲିଥିଲା । ହଠାତ ବାପାଙ୍କ ଜଣ୍ଡିସରେ ମୃତ୍ୟୁ ପରେ ରବୀନ୍ଦ୍ରଙ୍କ ମୁଣ୍ଡରେ ପରିବାର ଦାୟିତ୍ୱ ଲଦି ହୋଇପଡ଼ିଲା । ପୂର୍ବରୁ ମା ତୁଳସା ଦେବୀ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ଏବେ ସାନ ଭାଇ ଅଜଣା ରୋଗରେ ପୀଡିତ । ରବୀନ୍ଦ୍ରଙ୍କ ମୁଣ୍ଡରେ ଉପରେ ଏବେ ଉୟଭୟଙ୍କ ଚିକିତ୍ସା ଦାୟିତ୍ୱ । ନିଜ ମେଧାବୃତ୍ତିରୁ ପାଇଥିବା ୪୦ ହଜାର ଟଙ୍କା ଖର୍ଚ୍ଚ କରି ବ୍ରହ୍ମପୁର ମେଡିକାଲରେ ସାନଭାଇର ଚିକିତ୍ସା କରାଇଥିଲେ । ଦଶମ ପରୀକ୍ଷା ଏବଂ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅଜର୍ନ କରି ନିଜ ବ୍ଲକରେ ସୁନାମ ଅର୍ଜନ କରିଥିଲେ ସେ । ପରେ  ଯୁକ୍ତ ୩ ରେ ନାମଲେଖାଇ ଥିଲେବି ଏବେ ପରିବାର ବୋଝ ନାଙ୍କ ପାଠ ପଢାରେ ଡୋରି ପକାଇବାକୁ ବାଧ୍ୟ କରିଛି ।

ରବୀନ୍ଦ୍ରଙ୍କୁ ସହାୟତା ପାଇଁ ବଡ ଭଉଣୀ ମଧ୍ୟ ସୁଦୂର ବାଙ୍ଗାଲୁରୁରେ କାର୍ଯ୍ୟ କରୁଛନ୍ତି । ରବୀନ୍ଦ୍ରଙ୍କ କିଛି ଶିକ୍ଷକ ମଧ୍ୟ ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ତେବ ରବୀନ୍ଦ୍ରଙ୍କ ସମସ୍ୟା ପାତ୍ରପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ରେଡକ୍ରସ ପାଣ୍ଠିରୁ ୨୦,୦୦୦ଟଙ୍କା ସହାୟତା ଦିଆଯାଇଛି । ମେଧାବୀ ଛାତ୍ର ପାଇଁ ବାଧକ ସାଜିଛି ପରିବାରର ବୋଝ, ମୃତ୍ୟୁ ସହ ସଂଗ୍ରାମ କରୁଥିବା ଭାଇକୁ ଚିକିତ୍ସାପାଇଁ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛି ରବିନ୍ଦ୍ର ।

Leave a Reply