ଢେଙ୍କାନାଳ ଝିଅ ଲିନାଶ୍ରୀ ଆବିଷ୍କାର କଲେ ଡାଇନୋସର ହାଡ଼, ମେଘାଳୟ ପର୍ବତରୁ ସଂଗ୍ରହ କରିଛନ୍ତି ଜୀବାଶ୍ମ

ଭୁବନେଶ୍ୱର: ଦଶ କୋଟି ବର୍ଷ ପୂର୍ବେ ଭାରତର ମେଘାଳୟର ଖାସି ପର୍ବତରେ ସୌରପୋଡ ଜାତୀୟ ଡାଇନୋସର ପ୍ରଜାତି ଥିଲେ । ଯାହାର ଆବିଷ୍କାର କରିଛନ୍ତି ଭାରତର ତିନି ଜଣିଆ ମହିଳା ଭୂତତ୍ତ୍ୱବିତ୍ । ଏହି ତିନି ଜଣିଆ ଭୂତତ୍ତ୍ୱବିତ୍ ଦଳର ମୁଖ୍ୟ ହେଉଛନ୍ତି ଦେବହୂତୀ ମୁଖାର୍ଜୀ । ତିନି ଜଣିଆ ଦଳରେ ଅନ୍ୟତମ ମୁଖ୍ୟ ହେଉଛନ୍ତି ଓଡ଼ିଆ ଝିଅ ତଥା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଅଞ୍ଚଳର ଡ. ଲିନାଶ୍ରୀ ଦଳବେହେରା । ସେ ୨୦୧୯ରୁ ଏହି ବିଷୟରେ ଦୁଃସାହସିକତା ଭାବେ ପାହାଡ଼ ପର୍ବତରେ ଚଢ଼ି ଡାଇନୋସରର ଜୀବାଶ୍ମ, ହାଡ଼କୁ ପରୀକ୍ଷା ନିରିକ୍ଷା କରିଛନ୍ତି ।

ସେଥିରୁ ସେ ଜାଣିପାରିଛନ୍ତି ଯେ, ମେଘାଳୟରେ ପ୍ରଚୁର ବର୍ଷା ହେଉଥିବାରୁ ବହୁ ଡେଇନୋସରଙ୍କ ଅଂଶ ବିଶେଷ ନଷ୍ଟ ହୋଇଯାଇଛି । ଯେଉଁ କେତୋଟି ହାଡ଼ ମିଳିଛି । ତାକୁ ନେଇ ଗବେଷଣା ଚାଲୁରହିଥୁବା କଥା ସେ କହିଛନ୍ତି । ଏହି ସବୁ ଜୀବାଶ୍ମ ମେଘାଳୟର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ରାନୀକୋର ଗ୍ରାମ ନିକଟଟରେ ମିଳିଛି । ଲିନାଶ୍ରୀ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୫ ଶେଣ ସାହି ବାସିନ୍ଦା ଇଂ ଇଶ୍ୱର ଚନ୍ଦ୍ର ବେହେରା ଓ ନାରୀ କବି ତୁଳସୀ ରାଣୀ ବେହେରାଙ୍କ ସାନ ଝିଅ ଅଟନ୍ତି ।

ସେ ୧୯୯୫ ମସିହାରେ ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପାସ କରି ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ ୨ ପାଠ ପଢ଼ିଥିଲେ । ଯୁକ୍ତ ୩ରେ କେନ୍ଦୁଝର ଜିଲ୍ଲାର ଧରଣୀଧର ମହାବିଦ୍ୟାଳୟରେ ଭୂତତ୍ତ୍ୱ ବିଜ୍ଞାନରେ ପାଠ ପଢ଼ିଥିଲେ । ବାଣୀ ବିହାର ସ୍ନାତକତ୍ତୋର ପାସ କରିବା ପରେ ଖଡ଼ଗପୁର ଆଇଆଇଟିରେ ଉଚ୍ଚତ୍ତର ପାଠ ପଢ଼ି ଭୂତତ୍ତ୍ୱବିତ୍ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଏହି ସଫଳତାରେ ଭୁବନ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି । ତେଣୁକରି ଭୁବନ ତୃପ୍ତି ପାଠାଗାର ପକ୍ଷରୁ ତାଙ୍କ ବାପା ମାଆଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ଲିନାଶ୍ରୀ ଏବେ ସିଲଙ୍ଗରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ସେ ତାଳଚେରରେ ଡ. ସୁବ୍ରତ ଦାସଙ୍କୁ ବିବାହ କରିଛନ୍ତି ।

Leave a Reply