ଡାଇରିଆର ନାଲିଆଖିରେ ଆକ୍ତାମାକ୍ତା ଓଡ଼ିଶା, ନିୟନ୍ତ୍ରଣକୁ ଆଣିବାକୁ ଯାଇ ନୟାନ୍ତ ସ୍ବାସ୍ଥ୍ୟ ବିଭାଗ
1 min read
ନନ୍ଦିଘୋଷ ବ୍ୟୁରୋ : ଡାଇରିଆର ନାଲିଆଖିରେ ଆକ୍ତାମାକ୍ତା ଓଡ଼ିଶା । ଏ ଜିଲ୍ଲାରୁ ସେ ଜିଲ୍ଲାକୁ ଡେଉଁଛି ଝାଡାବାନ୍ତି । ରୋଗକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ନୟାନ୍ତ ସ୍ବାସ୍ଥ୍ୟ ବିଭାଗ । କଟକ ଟାଙ୍ଗୀ-ଚୌଦ୍ବାର ବ୍ଲକ ସୁଆଁରି ଗାଁରେ ବଢିଲାଣି ସଂକ୍ରମଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି କଟକ ସଦରରେ ୩୧ ଜଣ ଓ ବାଙ୍କୀରେ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତିଗିରିଆ ଓ ନରସିଂହପୁରର ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୁକାବିଲା ପାଇଁ ପୂରା ଜିଲ୍ଲାରେ ରାପିଡ୍ ରେସପନ୍ସ ଟିମ ରହିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ୪୨ ମୌଜା ଅଞ୍ଚଳରେ ବି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଙ୍କୀ ଘୋଳପୁର ଗାଁରେ ମଧ୍ୟ ୪୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଳକୁ ବେଳ ବଢୁଛି ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା । ସୋମବାର ୭୨ଘଣ୍ଟାରେ ୨୪ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପରେ ଧାମନଗର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମେଡ଼ିକାଲରେ ୧୫ ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ବିଭିନ୍ନ ଗାଁ ଗଣ୍ଡାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ଥିବା ସୂଚନା ମିଳିଛି । ସେପଟେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଫାଷ୍ଟଫୁଡ, ଗୁପଚୁପ ସହ ମାଛ, ମାଂସ ଦୋକାନ ବନ୍ଦ ରଖାଯାଇଛି । କେନ୍ଦ୍ରାପଡା ଶ୍ୟାମାସୁନ୍ଦରପୁରରେ ରୋଗରୁ ବର୍ତ୍ତିବା ପାଇଁ ଲୋକେ ଅନ୍ଧ ବିଶ୍ବାସର ଶରଣ ପଶିଛନ୍ତି । ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା ଚଳାଇଛନ୍ତି ଗ୍ରାମବାସୀ ।