ଜୟନାରାୟଣଙ୍କ ବିରୋଧରେ ଏତଲା ଦେବେ ମହିଳା IIC

ସମ୍ବଲପୁର: ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି ଘଟଣା । କର୍ତ୍ତବ୍ୟ ବେଳେ ପୋଲିସ ଅଧିକାରୀଙ୍କୁ ହାତ ଉଠାଇଲେ ଜୟନାରାୟଣ । ମହିଳା ପୋଲିସ ଅଧିକାରୀଙ୍କୁ ଥାପୁଡ଼ା ମାରିବା ଏବଂ ଧାନା ପୋଡି ଦେବା ଭଳି ଧମକ ଦେଇଛନ୍ତି ବିଜେପି ନେତା  । ଏନେଇ  ଥାନାରେ ଏତଲା ଦେବେ ଧନୁପାଲି ଆଇଆଇସି  । ପ୍ରତିକ୍ରିୟା ଦେଇ ଧନୁପାଲି ଆଇଆଇସି କହିଛନ୍ତି, ମୋର ଆଜି ଜିଲ୍ଲାପାଳଙ୍କ ଅଫିସରେ ଡ୍ୟୁଟି ଥିଲା  ।  କର୍ତ୍ତବ୍ୟକୁ ସୂଚାରୁ ରୂପେ ନିଭାଉଥିଲି  । ଏହି ସମୟରେ ମୋତେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦେଖିବା ସହ ଗାଳି ଗୁଲଜ କରିଥିଲେ  । ଏମିତିକି ଗୋରୁ ମାଂସ ବ୍ୟବସାୟ କରୁଥିବା ଭଳି ଆରୋପ ଲଗାଇଥିଲେ  । ପ୍ରମାଣ ଦେଇପାରିବେ ବୋଲି ପଚାରିବାରୁ ମୋ ଉପରକୁ ହାତ ଉଠାଇବା ସହ ଚାପୁଡ଼ା ମାରିଥିବା କହିଛନ୍ତି ଥାନା ଅଧିକାରୀ  । ଜଣେ ବିଧାୟକ ଏବଂ ବିରୋଧି ଦଳ ନେତାଙ୍କ ଏଭଳି ଦୁର୍ବ୍ୟବହାରକୁ ନେଇ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ କରିବେ ଧନୁପାଲି ଆଇଆଇସି  ।

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। ଭଲ କରି ଦେଖନ୍ତୁ ଏ ଦୃଶ୍ୟ। ଆଇନଶୃଙ୍ଖଳା ନାଁରେ କେମିତି ବିଶୃଙ୍ଖଳା କରୁଛନ୍ତି ବିଜେପି କର୍ମୀ। ଧନୁପାଲୀ ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କ ସହ ଯୁକ୍ତିତର୍କ କରୁଛନ୍ତି ଜୟନାରାୟଣ। ଆଙ୍ଗୁଳି ଦେଖାଇ ଧମକାଉଛନ୍ତି । ଆଇନଶୃଙ୍ଖଳାକୁ ନେଇ ବଡ଼ ବଡ଼ କଥା କହୁଥିବା ବିଜେପି ନେତାଙ୍କ କାର୍ଯ୍ୟକଳାପ କେମିତି ଭଲ କରି ଦେଖନ୍ତୁ। ମହିଳା ସୁରକ୍ଷା ଓ ସମ୍ମାନର କଥା କହୁଥିବା ଜୟନାରାୟଣଙ୍କ ପ୍ରକୃତ ଚରିତ୍ର କଣ, ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡୁଛି। ଆଇନଶୃଙ୍ଖଳା ରକ୍ଷା ପୋଲିସର କର୍ତ୍ତବ୍ୟ। ହେଲେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଜୟନାରାୟଣ। ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ।

ସେପଟେ ଜୟନାରାୟଣଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା  । ଜଣେ ବିଧାୟକ ପୁଣି ଲୋକପ୍ରତିନିଧିଙ୍କ ବାରମ୍ବାର ଏଭଳି ଆଚରଣ ସହ୍ୟ ନୁହେଁ  । ଗଣତନ୍ତ୍ର ପ୍ରତି ବାରମ୍ବାର କାଳିମାର ଦାଗ ବୋଳୁଛନ୍ତି ବିଧାୟକ ତଥା ବିରୋଧି ଦଳ ନେତା  । ପଦ, ମର୍ଯ୍ୟଦାର ହାନି ଘଟାଉଥିବା ଅବିଯୋଗ ହୋଇଛି  । ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କ ଉପରକୁ ହାତ ଉଠାଇବା ଏବଂ ଉଡାଇଦେବା ଭଳି କଥା କହିବା କେତେଦୂର ସମିଚୀନ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା  ।