ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ମହାପ୍ରଭୁଙ୍କ ସହ ଅବିର ଖେଳିଲେ ଭକ୍ତ..

Puri Shree Mandir Holi

ପୁରୀ: ଶ୍ରୀମନ୍ଦିରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଶ୍ରୀକ୍ଷେତ୍ରରେ ଅବିର ଖେଳିଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ପାଳିତ ହୋଇଛି ଦୋଳପୂର୍ଣ୍ଣିମା । ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଦୋଳଗୋବିନ୍ଦ, ଭୁଦେବୀ ଓ ଶ୍ରୀଦେବୀ ଦୋଳବେଦୀକୁ ବିଜେ କରି ଭକ୍ତଙ୍କ ସହ ଅବିର ଖେଳିଥିଲେ । ଆଉ ସୁନା ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ।

ଦୋଳ ପୂର୍ଣ୍ଣମା ଅବସରରେ ଦୋଳବେଦୀକୁ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଦୋଳବେଦୀରେ ଭକ୍ତ ଓ ଭଗବାନଙ୍କ ଏହି ଖେଳ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ମହାପ୍ରଭୁଙ୍କ ସହ ହୋଲି ଖେଳି ଜୀବନ ସାର୍ଥକ ହୋଇ ଯାଇଥିବା କହିଛନ୍ତି ଭକ୍ତ ।

ଦୋଳ ପୂର୍ଣ୍ଣିମା ଅବସରରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ରାତି ୪:୩୦ରୁ ଦ୍ୱାର ଫିଟା ପରେ ମଙ୍ଗଳଆଳତୀ, ମଇଲମ, ତଡପ ଲାଗି ଓ ଅନ୍ୟାନ୍ୟ ନୀତି ବଢ଼ି ମହାପ୍ରଭୁଙ୍କ ସୁନା ବେଶ ନୀତି ଅନୁଷ୍ଠିତ ହୋଇଥିଲା । ହରିଡ଼ା ମାଳି, ବାହାଡା ମାଳି, ସେବତୀ ମାଳି, କିରିଟ, ନାକୂଆଶୀ ଆଦି ବିବିଧ ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ । ଦୋଳ ଉପରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କଲେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଶ୍ରୀକ୍ଷେତ୍ରରେ ଦର୍ଶନ ପାଇଁ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହଠାରୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ ପାଇଁ ବନ୍ଦ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave a Reply