ଗ୍ଲୋବାଲ୍ ମାର୍କେଟରେ ଓଡ଼ିଶା ପ୍ରଡକ୍ଟର ବଢୁଛି ଚାହିଦା, ରାଜ୍ୟ ସରକାରଙ୍କ ସୁବିଧାର ଫାଇଦା ଉଠାଇବାକୁ CIIର ଅପିଲ

1 min read

ଭୁବନେଶ୍ବର: ଖାଦ୍ଯ ରପ୍ତାନୀ କ୍ଷେତ୍ରରେ ହେଉଛି ଓଡ଼ିଶାର ଅଭିବୃଦ୍ଧି । ଗ୍ଲୋବାଲ ମାର୍କେଟରେ ଓଡ଼ିଶା ପ୍ରଡକ୍ଟର ଖୁବ୍ ଚାହିଦା ଦେଖିବାକୁ ମିଳୁଛି । ଆମେରିକାରେ ଓଡ଼ିଶାର ଆମ୍ରପଲ୍ଲୀ ଆମ୍ବର ଚାହିଦା ଥିବା ବେଳେ ଦୁବାଇରେ ଓଡ଼ିଶା ସପୁରୀର ଡିମାଣ୍ଡ ଅଧିକ । ଆଗକୁ ପ୍ରସେସିଙ୍ଗ ଫୁଡ ଅଧିକ ଏକ୍ସପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ସୁବିଧାର ଫାଇଦା ଉଠାଇବାକୁ ସିଆଇଆଇର ଅପିଲ । ଏହାସହ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ବିଦେଶୀ ପୁଞ୍ଜି ଆଣିବାକୁ ଉତ୍କଳ ଇନଭେଷ୍ଟର୍ସ ମିଟ ଆୟୋଜନ ହେବ ବୋଲି କହିଲେ ଶିଳ୍ପମନ୍ତ୍ରୀ । ୨୦୨୭ ସୁଦ୍ଧା ରାଉରକେଲା, ସମ୍ବଲପୁର, ଧାମରା ଓ ପାରାଦୀପରେ ଶିଳ୍ପ କରିଡ଼ର କାମ ସରିବ ବୋଲି ଦେଇଛନ୍ତି ସୂଚନା ।

ଆମେରିକାରେ ଓଡ଼ିଶା ଆମ୍ରପଲ୍ଲୀ ଆମ୍ବର ଡିମାଣ୍ଡ ଅଧିକ । ଦୁବାଇରେ ଓଡ଼ିଶା ସପୁରୀର ଚାହିଦା ଅନେକ । ତା’ ସାଙ୍ଗକୁ ବିଶ୍ବ ବିଜାରରେ ଓଡ଼ିଶାର ମସଲା, କନ୍ଦମୂଳ, ଭେଣ୍ଡି, ଚିଙ୍ଗୁଡ଼ିର ଭାରି ଡିମାଣ୍ଡ । ଫୁଡ ପ୍ରସେସିଂ କ୍ଷେତ୍ରରେ ଓଡ଼ିଶାକୁ ଗ୍ଲୋବାଲ ମାର୍କେଟରେ ସ୍ବତନ୍ତ୍ର ସ୍ଥାନ ମିଳୁଛି । ଧାନ, ଚାଉଳ, ଗହମ, ମାଣ୍ଡିଆ ରପ୍ତାନୀରେ ବି ଓଡ଼ିଶା ଭଲ ପ୍ରଦର୍ଶନ କରୁଛି । ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜ୍ୟର ଚାଷୀଙ୍କ ଆୟ ବଢାଇବା । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ପ୍ରସେସ କରି ବାହାରକୁ ପଠାଇବା ପାଇଁ ବିଭିନ୍ନ ସଙ୍ଗଠନ କାମ କରୁଥିବା ବେଳେ ଯୁବ ଉଦ୍ୟୋଗୀ ମଧ୍ୟ ଏଥିରେ ପୁଞ୍ଜି ନିବେଶ କରୁଛନ୍ତି । ଏହା ରାଜ୍ୟର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଶୁଭ ଖବର । ଆମଦାନୀ କ୍ଷେତ୍ରରେ ଡବ୍ଲୁଟିସି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରି ଏ କ୍ଷେତ୍ରକୁ ଆସିବା ପାଇଁ ଉତ୍ସାହିତ କରୁଛନ୍ତି । ଖାଦ୍ୟ ଦ୍ରବ୍ୟ ବ୍ୟତୀତ ଧାନ ଚାଷର ବାୟୋ-ପ୍ରଡକ୍ଟ ନଡ଼ା ମଧ୍ୟ ବାହାରକୁ ରପ୍ତାନୀ ହେଉଛି, ଯେଉଁଥରୁ ବାୟୋ-ଗ୍ୟାସ ପ୍ରସ୍ତୁତ କରାଯାଉଛି ।

ଏକ କୃଷି ପ୍ରଧାନ ରାଜ୍ୟ ଭାବେ ପରିଚିତ ଓଡ଼ିଶା, ରପ୍ତାନୀ କ୍ଷେତ୍ରରେ ଆଗକୁ ଯିବା ପାଇଁ ଥିବା ସୁଯୋଗ, ସମ୍ଭାବନା ଓ ଆହ୍ବାନ ବାବଦରେ ସିଆଇଆଇ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଉପଯୁକ୍ତ ପ୍ରସେସିଂ ଓ ପ୍ୟାକେଜିଂ, ଉନ୍ନତ ମାନର ଚାଷ, ଚାଷ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ଯୋଗୁଁ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢି ଚାଲିଛି । ଏପଟେ ଶିଳ୍ପର ଅଭିବୃଦ୍ଧି ପାଇଁ ଉତ୍କଳ ଇନଭେଷ୍ଟର୍ସ ମିଟ ଜରିଆରେ ଅଢେଇ ଲକ୍ଷ କୋଟି ପୁଞ୍ଜି ରାଜ୍ୟକୁ ଆଣିବାକୁ ଯୋଜନା ହେଉଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ରାଉରକେଲା, ସମ୍ବଲପୁର, ଧାମରା, ପାରାଦୀପ, ଅନୁଗୁଳ ଓ ଗୋପାଳପୁରରେ ଶିଳ୍ପ କରିଡ଼ର କାମ ୨୦୨୭ ସୁଦ୍ଧା ସାରିବାକୁ ଯୋଜନା ଥିବା ମନ୍ତ୍ରୀ କହିଛନ୍ତି ।

ସିଆଇଆଇ ଦ୍ବାରା ଆୟୋଜିତ କର୍ମଶାଳାରେ ଟାଟା, ବେଦାନ୍ତ, ଜିନ୍ଦଲ, ଇଫକୋ, ପିପିଏଲ୍, ଏସାର ଭଳି କମ୍ପାନୀର ଅଧିକାରୀଙ୍କ ସହ ବିଭିନ୍ନ କୃଷକ ସଙ୍ଗଠନ, ଏନଜିଓ, ସ୍ବୟଂ ସହାୟକ ଗୋଷ୍ଠୀ ଓ ସରକାରୀ ଅଧିକାରୀ ଯୋଗ ଦେଇ ରାଜ୍ୟର ରପ୍ତାନୀ ବୃଦ୍ଧି କରିବାକୁ ଆଲୋଚନା କରିଛନ୍ତି ।