ଘନ କୁହୁଡି ପାଇଁ ବିମାନ ବିଳମ୍ବ , ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

1 min read

ନୂଆଦିଲ୍ଲୀ : କଲବଲ କରୁଛି ଘନ କୁହୁଡି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାଜ୍ କରୁଛି କୁହୁଡି । ସୃଷ୍ଟି ହେଉଛି ଜିରୋ ଭିଜିବିଲିଟି । ରାସ୍ତାଘାଟ ଦେଖାନଯିବାରୁ ୧୮ଟି ଟ୍ରେନ ଏବଂ ୧୦୦ଟି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ପାରଦ ୩.୩ ଡିଗ୍ରୀ ରେକର୍ଡ କରାଯାଇଛି । ବିମାନ ଚଳାଚଳ ବିଳମ୍ବ ହେବା କାରଣରୁ ଦିଲ୍ଲୀ ବିମାନବନ୍ଦରରେ ଫସି ରହିଛନ୍ତି ଅନେକ ଯାତ୍ରୀ ।ଏଥିପାଇଁ ପରବର୍ତ୍ତୀ ବିମାନ ଉଡାଣ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବା ପାଇଁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି ।

ଦିଲ୍ଲୀରେ ୨୫ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ କ୍ଷମତା ରହିଛି । ସେପଟେ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ଗୋଟିଏ ସପ୍ତାହ ବନ୍ଦ ରହିବା ପରେ ଆଜିଠୁ ଖୋଲୁଥିବା ବେଳେ ସକାଳ ୯ଟା ପୂର୍ବରୁ କ୍ଲାସ ପରିଚାଳନ ହେବନାହିଁ ବୋଲି ଘୋଷଣା କରାଯାଇଛି । ଇଣ୍ଡିଗୋ, ସ୍ପାଇସଜେଟ ଏବଂ ଭିସ୍ତାରା ଭଳି ପ୍ରମୁଖ ବିମାନ ସେବା ଏନେଇ ସେମାନଙ୍କ ୱେବସାଇଟ୍ ପକ୍ଷରୁ ଯାତ୍ରୀଙ୍କୁ ସଚେତନ କରାଇଛନ୍ତି। ପରବର୍ତ୍ତୀ ବିମାନ ଚଳାଚଳ ପର୍ଯ୍ୟନ୍ତ ଯୋଗାଯୋଗରେ ରହିବାରୁ ପରାମର୍ଶ ଦିଆଯାଇଛି ।IMDଙ୍କ ଆକଳନ ଅନୁସାରେ, ସମଗ୍ର ଉତ୍ତର ଭାରତରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେପଟେ ଘନ କୁହୁଡି ଯୋଗୁଁ ପଞ୍ଜାବ ଓ ହରିୟାଣା କୁ ରେଡ ଆଲର୍ଟ ଜାରି କରାଯାଇଛି