ରାହୁଲଙ୍କୁ ଦିଲ୍ଲୀ ପୋଲିସର ନୋଟିସ; ଯୌନ ଶୋଷଣର ଶିକାର ମହିଳାଙ୍କ ତଥ୍ୟ ଦେବାକୁ ଉଲ୍ଲେଖ

1 min read

ନୂଆଦିଲ୍ଲୀ : ରାହୁଲଙ୍କ ପ୍ରଶ୍ନରେ କେନ୍ଦ୍ର ସରକାର ଭୟଭୀତ । ଆଦାନୀ ସହ ବିଜେପି ସମ୍ପର୍କ ନେଇ ସରକାରଙ୍କୁ ରାହୁଲ ଘେରିଥିବା ବେଳେ ସରକାର ପୋଲିସ ପଛରେ ଲୁଚିବାକୁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ କହିଛି । ରାହୁଲଙ୍କୁ ଦିଲ୍ଲୀ ପୋଲିସର ସମନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । କାଶ୍ମୀରରେ ଏବେ ବି ମହିଳାମାନେ ନିର୍ଯାତିତ ଓ ସେମାନଙ୍କୁ ସୁରକ୍ଷା ଦରକାର ବୋଲି ରାହୁଲ କହିଥିଲେ । ସେହି ମହିଳାମାନଙ୍କ ପରିଚୟ ପୋଲିସକୁ ଦେବାକୁ ରାହୁଲଙ୍କୁ ନୋଟିସ କରିଛି ଦିଲ୍ଲୀ ପୋଲିସ । ପୋଲିସ ନୋଟିସର ଆଇନ ଅନୁଯାୟୀ ଉଚିତ ସମୟରେ ଜବାବ ଦିଆଯିବ ବୋଲି କଂଗ୍ରେସର ଅଫିସିଆଲ ଟୁଇଟର ପୋଷ୍ଟରେ ଉଲ୍ଲେଖ କରାଯାଇଛି ।

ଗଣତନ୍ତ୍ର, ମହିଳା ସଶକ୍ତିକରଣ, ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ବିରୋଧୀଙ୍କ ଭୂମିକାକୁ ଦୁର୍ବଳ କରିବା ପାଇଁ ସରକାର ଡରର ଆଉ ଏକ ପ୍ରମାଣ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି ରାହୁଲ ଲଣ୍ଡନରେ ଦେଇଥିବା ବୟାନ ପାଇଁ ସଂସଦରେ କ୍ଷମା ମାଗିବା ଉଚିତ ବୋଲି ବିଜେପି କହିଛି । ଯାହାକୁ ନେଇ ବିଜେପିକୁ ଘେରିଛି କଂଗ୍ରେସ।