ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଭାରତୀୟ ବାୟୁସେନାର ଯବାନ ଗିରଫ

1 min read

ନୂଆଦିଲ୍ଲୀ: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି । ଗିରଫ ଯବାନଙ୍କ ନାଁ ଦେବେନ୍ଦ୍ର ଶର୍ମା ବୋଲି ଜଣାପଡ଼ିଛି । ଦେବେନ୍ଦ୍ରଙ୍କୁ ହନିଟ୍ରାପରେ ଫସାଇ ବାୟୁସେନା ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଯବାନ ଜଣଙ୍କୁ ରାଡାର ନିୟୋଜିତ ହୋଇଥିବା ସ୍ଥାନ ଓ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ନାମ ଓ ଠିକଣା ମଗାଯାଇଥିଲା । ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ଯବାନ ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରାଯାଇଛି ।

ଦେବେନ୍ଦ୍ର ଶର୍ମା ମୂଳତଃ ଉତ୍ତରପ୍ରଦେଶର କାନପୁର ବାସିନ୍ଦା । ଅତୀତରେ ସେ ଫେସବୁକରେ ଏକ ମହିଳାଙ୍କ ସହ ବନ୍ଧୁତା କରିଥିଲେ । ମହିଳା ଜଣଙ୍କ ଏକ ଭାରତୀୟ ନମ୍ବର ବ୍ୟବହାର କରି ମୋବାଇଲରେ ଦେବେନ୍ଦ୍ର ଶର୍ମାଙ୍କ ସହ କଥା ହେଉଥିଲେ । ଯବାନଙ୍କୁ ଗିରଫ କରିବା ପରେ ପୋଲିସ ସେହି ଫେସବୁକ ପ୍ରୋଫାଇଲ୍ କାହାର ଥିଲା, ସେ ନେଇ ଯାଞ୍ଚ କରୁଛି । ଏହି କାର୍ଯ୍ୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଜଡିତ ଥିବା ସନ୍ଦେହ କରାଯାଉଛି ।