ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ, ସ୍ତ୍ରୀ ଦେଉଥିଲେ ଗର୍ଭପାତ ବଟିକା

ନୂଆଦିଲ୍ଲୀ: ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ । ସ୍ତ୍ରୀ ଦେଉଥିଲେ ଗର୍ଭପାତ ବଟିକା । ସାହାରା ନାଁରେ ଶୋଷଣ କରୁଥିଲେ ସ୍ବାମୀ, ସ୍ତ୍ରୀ । ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଜଘନ୍ୟ ଅପରାଧ ମାମଲାରେ ଦିଲ୍ଲୀ ମହିଳା ଓ ଶିଶୁ ବିକାଶ ବିଭାଗ ଡେପୁଟି ଡାଇରେକ୍ଟରଙ୍କୁ ନୋଟିସ ଜାରି କରିଛି ପୋଲିସ । ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ବାବୁଙ୍କ ଏଭଳି କଳା କାରନାମାକୁ ନେଇ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।

୨୦୨୦ ମସିହା ଅକ୍ଟୋବରରେ ପୀଡ଼ିତା ନାବାଳିକାଙ୍କ ବପାଙ୍କ ମୃତ୍ୟୁ ପରେ ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ ଘରେ ରହି ପାଠ ପଢ଼ୁଥିଲେ । ୨୦୨୦ ନଭେମ୍ବରରୁ ୨୦୨୧ ଜାନୁଆରୀ ମଧ୍ୟରେ ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ଦୁଇ ମାସ ମଧ୍ୟରେ ଶାରୀରିକ ଓ ଯୌନ ନିର୍ଯାତନା ସହ ଏକାଧିକ ବାର ଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଏପରିକି ନାବାଳିକାଙ୍କ ଗର୍ଭନଷ୍ଟ ପାଇଁ ଅଭିଯୁକ୍ତଙ୍କ ସ୍ତ୍ରୀ ଔଷଧ ଖୁଆଇଥିଲେ ବୋଲି ପୀଡ଼ିତା କହିଛନ୍ତି ।

ମାନସିକ ଭାବେ ଅସୁସ୍ଥ ଥିବାରୁ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ସମୟ ଧରି କାଉନସେଲିଂ ପରେ ସେ ଡାକ୍ତରଙ୍କୁ ଏସମ୍ପର୍କରେ କହିଛନ୍ତି । ଏ ନେଇ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସରକାରୀ ଅଫିସରଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଇ ଦିନ ପରେ ବି ଗିରଫ କରା ନଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ।