ଦିଲ୍ଲୀ ଅଗ୍ନିକାଣ୍ଡର କାରଣ ଖୋଜା, ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁନ୍ଦକା ମେଟ୍ରୋ ଷ୍ଟେସନ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାର କାରଣ ଖୋଜା । କାହିଁକି ଘଟିଲା ଅଗ୍ନିକାଣ୍ଡ? ଅଗ୍ନିକାଣ୍ଡ ଲାଗି ଦାୟୀ କିଏ ? ବିନା ଫାୟାର ଏନଓସିରେ କିପରି ଚାଲିଥିଲା ଗୋଦାମ ? ଏତେ ବଡ଼ ଘଟଣା ଘଟିବା ପୂର୍ବରୁ ପ୍ରଶାସନ କରୁଥିଲା କ’ଣ ? ଚାରି ମହଲା କୋଠାରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଗୁରୁତର ଆହତ ୧୨ ଜଣଙ୍କୁ ସ୍ଥାନୀୟ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଘଟଣାରେ ସିସିଟିଭି କମ୍ପାନି ମାଲିକ ହରୀଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି । ଅଗ୍ନିକାଣ୍ଡରେ ସେମାନଙ୍କ ବାପା ଅମରନାଥ ଗୋୟଲ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ବିଲ୍ଡିଂ ମାଲିକ ମନୀଷ ଲାକ୍ରା ଫେରାର ହୋଇଯାଇଛନ୍ତି ।

ଏହି ବିଲଡିଂର ପ୍ରଥମ ମହଲାରେ ଥିବା ଏକ ସିସିଟିଭି କ୍ୟାମେରା ଗୋଦାମରୁ ଏହି ନିଆଁ ବାହାରିଥିଲା । ଏହି କୋଠାରେ ବିଭିନ୍ନ କମ୍ପାନିର କାର୍ଯ୍ୟାଳୟ ରହିଥିଲା । ଅଗ୍ନିକାଣ୍ଡରେ ବହୁ ଅଫିସ ଜଳି ପୋଡି ଧ୍ବଂସ ହୋଇଯାଇଛି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟିଥିବା ଚାରି ମହଲା କୋଠାର ନଥିଲା ଫାୟାର ଏନଓସି । କୋଠାରେ ଗୋଟିଏ ମାତ୍ର ଷ୍ଟେୟାରକେସ୍ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା । ନିଆଁକୁ ଆୟତ୍ତ କରିବା ଲାଗି ୨୪ରୁ ଅଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା । ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।