ବ୍ରିଜଭୂଷଣଙ୍କ ବିରୋଧରେ ଦାୟର ଯୌନ ନିର୍ଯାତନା ମାମଲା ହାଇକୋର୍ଟରେ କାଏମ
ଦିଲ୍ଲୀ: ପୂର୍ବତନ କୁସ୍ତିଯୋଦ୍ଧା ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କୁ ଝଟକା । ମହିଳା ରେସଲରଙ୍କ ଦ୍ବାରା ଦାୟର ଯୌନ ନିର୍ଯାତନା ମାମଲା ଖାରଜ ଲାଗି ହୋଇଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ । ଏହାସହ ବ୍ରିଜଭୂଷଣଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା ।
ସେ କହିଛନ୍ତି, ସବୁ କ୍ଷେତ୍ରରେ ଦିଆଯାଇ ପାରିବନି ଏକ ପ୍ରକାର ରାୟ । ଥରେ କୌଣସି ମାମଲାର ବିଚାର ଚାଲିଲେ ଏହା ଜଟିଳ ପ୍ରକ୍ରିୟା ମଧ୍ଯରେ ଚାଲିଥାଏ । ବ୍ରିଜଭୂଷଣଙ୍କ ଓକିଲ ରାଜୀବ ମୋହନ କହିଛନ୍ତି, ତାଙ୍କ ବିରୋଧରେ ମାମଲା ଦାୟର କ୍ଷେତ୍ରରେ ଏକ ଲୁକ୍କାୟିତ ଯୋଜନା ରହିଛି । ରେସଲିଂ ଫେଡେରେସନ ସଭାପତି ପଦରୁ ତାଙ୍କୁ ହଟାଇବା ଲାଗି ଅଭିଯୋଗକାରୀମାନେ ଯୋଜନା କରିଥିଲେ । ଯୌନ ନିର୍ଯାତନା ଅଭିଯୋଗକୁ ଖାରଜ କରିବା ଲାଗି ଏକ ସର୍ଟ ନୋଟ ପ୍ରସ୍ତୁତ କରିବା ସକାଶେ ବ୍ରିଜଭୂଷଣଙ୍କ ଓକିଲଙ୍କୁ ଦୁଇ ସପ୍ତାହ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ ।
ଗତ ମେ’ ୨୧ରେ ବ୍ରିଜଭୂଷଣଙ୍କ ବିରୋଧରେ କୋର୍ଟ ମାମଲା ରୁଜୁ କରିଥିଲେ । ମହିଳାଙ୍କୁ ଯୌନ ନିର୍ଯାତନା, ଧମକ ଆଦି ଅଭିଯୋଗ ଅନୁସାରେ ରୁଜୁ ହୋଇଥିଲା ମାମଲା । ଗତବର୍ଷ ମେ’ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା ।